ମୁଖ୍ୟ ଖବର

ଅନୁଗୁଳରେ ଘୁଙ୍ଗୁଡ଼ି ମାରୁଛି ଖାଦ୍ୟ ନିରାପତ୍ତା ବିଭାଗ: ବଢ଼ି ଚାଲିଛି ରଙ୍ଗ ମିଶା, ଅପମିଶ୍ରିତ ଖାଦ୍ୟ ବେପାର

By Angul TV Bureau

February 21, 2025

ଅନୁଗୁଳ : ଅନୁଗୁଳ ସହରରେ ମାଳ ମାଳ ହୋଟେଲ, ଫାଷ୍ଟ ଫୁଡ ଦୋକାନମାନ ଗଢ଼ି ଉଠୁଥିବା ବେଳେ ଏଠାରେ ପରସା ଯାଉଥିବା ଖାଦ୍ୟକୁ କିନ୍ତୁ କେହି ଯାଞ୍ଚ କରୁନାହାନ୍ତି। ଏଠାରେ ବ୍ୟବସାୟୀମାନେ ମନ ଇଚ୍ଛା ଯୋଉଠି ପାଉଛନ୍ତି ସେଠାରେ ଦୋକାନ ଖୋଲି ଖାଦ୍ୟ ବିକୁଛନ୍ତି। ଆଉ ଲୋକମାନେ ବି ସୁସ୍ୱାଦୁ ଲାଗୁଥିବାରୁ ଏହାକୁ ଖାଉଛନ୍ତି। କିନ୍ତୁ ପଇସା ଦେଇ ଖାଉଥିବା ଏହି ଖାଦ୍ୟ ଯେ କେତେ ଦୂର ଶରୀର ପାଇଁ ଉପଯୋଗୀ ତାହା କେହି ଭାବୁନାହାନ୍ତି।

ଅନୁଗୁଳରେ ବଢ଼ୁଥିବା ଏହି ଖାଦ୍ୟ ବେପାର ଉପରେ ଖାଦ୍ୟ ନିରାପତ୍ତା ବିଭାଗ ଦୃଷ୍ଟି ଦେବା ଆବଶ୍ୟକତା ରହିଛି। ଏଠାରେ ଖାଦ୍ୟ ନିରାପତ୍ତା ବିଭାଗ ନାଁକୁ ମାତ୍ର ଥିବା ବେଳେ କେବେ ବି ବଜାରକୁ ଆସି ଖାଦ୍ୟ ଯାଞ୍ଚ କରୁନାହାନ୍ତି। ଫଳରେ ବେପାରୀମାନେ ନିର୍ଭୟରେ ବିଷାକ୍ତ ଖାଦ୍ୟ ବିକିବା ଚଳାଇଛନ୍ତି।ସହର ମଧ୍ୟରେ ମାଳମାଳ ହୋଟେଲ ସାଙ୍ଗକୁ ରାସ୍ତାକଡ଼ରେ ଦହିବରା, ଗୁପଚୁପ, ଚାଟ ଦୋକାନ ଲମ୍ବିଛି। ଲୋକମାନେ ବି ନାହିଁନଥିବା ଭିଡ଼ ଜମାଇ ଖାଦ୍ୟ ଖାଇ ଚାଲିଛନ୍ତି।ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀ ଖାଦ୍ୟକୁ ଅଧିକ ଆକର୍ଷଣୀୟ ମନଲୋଭା କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଓ ରସାୟନର ଅପମିଶ୍ରଣ କରୁଛନ୍ତି। ଆଳୁଦମ ଠାରୁ ଘୁଗୁନି ଆକର୍ଷଣୀୟ ଦେଖାଯିବା ପାଇଁ ନାଲି ରଙ୍ଗ ବ୍ୟବହାର କରାଯାଉଛି। ଗୁପଚୁପର ଖଟା ପାଣିରେ ଖଟା ଅଂଶ ବୃଦ୍ଧି କରିବା ପାଇଁ ତେନ୍ତୁଳି ବଦଳରେ ରସାୟନ ପଦାର୍ଥ ବ୍ୟବହାର ହେଉଛି।

ସେହିପରି ସହରର ତାମ୍ରିତ କଲୋନୀ ଅଞ୍ଚଳରୁ କଲେଜ ଛକ, ହେମୁସରପଡା ଠାରୁ ପିଟିସି ଛକ ସବୁ ଆଡେ ମିକ୍ସଚର କାରଖାନା ଖୋଲିଲାଣି। ପୋଡା ତେଲ ସାଙ୍ଗକୁ ନିମ୍ନମାନର ବେଶନ, ରଙ୍ଗ, ଡାଲି ଆଦି ମିଶ୍ରଣ କରି ନିର୍ମାଣ ହେଉଛି ସ୍ୱାଦିଷ୍ଟ ମିକ୍ସଚର। ଏହି ମିକ୍ସଚର ବଜାରକୁ ଆସିବା ପରେ ଲୋକେ ସୁସ୍ୱାଦୁ ଭୋଜନ ପାଇଁ ଏହାକୁ କିଣି ନେଉଛନ୍ତି।

ଅନ୍ୟପଟେ ପାନ ଦୋକାନ ଠାରୁ ଠେଲା ସବୁଠାରେ ଗୁଟୁଖା, ସିଗାରେଟର ବେପାର ବଢିଚାଲିଛି। କିନ୍ତୁ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ସବୁ ଜାଣି ବି ନିରବଦ୍ରଷ୍ଟା ସାଜିଛି। ବିଭାଗ ପାଖରେ ସମସ୍ତ ତଥ୍ୟ ରହୁଥିବା ବେଳେ କିଛି କର୍ମଚାରୀ ଏହି ବ୍ୟବସାୟୀଙ୍କ ସହ ସମ୍ପର୍କ ରଖିଥିବାରୁ ଯାଞ୍ଚ ସମୟରେ ଆଗୁଆ ସତର୍କ ହୋଇଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଫଳରେ ଚଢ଼ଉ କେବଳ କାଗଜପତ୍ରରେ ସୀମିତ ରହିଛି। ଏଣୁ ଖାଦ୍ୟ ନିରାପତ୍ତା ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।