ମୁଖ୍ୟ ଖବର

ମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର

By Angul TV Bureau

August 27, 2022

ଅନୁଗୁଳ: ସ୍ୱାଧୀନତାକୁ ୭୫ ବର୍ଷ ବିତିଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କରାବିରାଖୋଲ ଗାଁ ଲୋକ। ଗାଁରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା ଭଳି କୌଣସି ସୁବିଧା ନାହିଁ। ଫଳରେ ଲୋକମାନେ ଏବେ ଦାରିଦ୍ର୍ୟତା ମଧ୍ୟରେ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟ ସହ କିଡନୀ ରୋଗ ଏବେ ଗାଁ ଲୋକଙ୍କୁ କଲବଲ କରିପକାଇଛି। ସୂଚନା ମୁତାବକ, ଅନୁଗୁଳ ବ୍ଲକ ବଡ଼କନ୍ଥକୁଳ ପଞ୍ଚାୟତ କରାବିରାଖୋଲ ଗାଁରେ ୧୮ଟି ପରିବାର ରହୁଛନ୍ତି। ଏତେ ସଂଖ୍ୟକ ଲୋକ ରହୁଥିଲେ ମଧ୍ୟ ଗାଁରେ ଅଙ୍ଗନବାଡ଼ି କି ପ୍ରାଥମିକ ବିଦ୍ୟାଳୟଟିଏ ମଧ୍ୟ ନାହିଁ। ଗମନାଗମନର ସୁବିଧା ନଥିବାରୁ ପ୍ରାୟ ୧୫ କି.ମି ରାସ୍ତା ଅତିକ୍ରମ କରି ଲୋକେ ସରକାରୀ ରାସନ ସାମଗ୍ରୀ ଆଣିବାକୁ ଯାଆନ୍ତି।

ଗାଁର ଲୋକ ସାଧାରଣତଃ କୃଷି ଉପରେ ନିର୍ଭର କରୁଥିବା ବେଳେ ବିଭିନ୍ନ ସମୟରେ ବନ୍ୟଜନ୍ତୁଙ୍କ ଯୋଗୁ ଫସଲ ନଷ୍ଟ ହେଉଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ବି ଏତେଟା ଭଲ ନୁହେଁ। ଅନ୍ୟପଟେ ଗାଁକୁ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଗୋଳିଆ ପାଣି ପିଇ ଲୋକମାନେ ରୋଗାକ୍ରାନ୍ତ ହେଉଛନ୍ତି। ଦୂଷିତ ପାଣି ପିଇ କିଡନୀ ରୋଗରେ ଇତି ମଧ୍ୟରେ ୬ ଜଣଙ୍କ ଜୀବନ ଗଲାଣି। ସେହିପରି ଅନେକ ଲୋକ ଏବେ ବି କିଡନୀ ରୋଗରେ ଆକ୍ରାନ୍ତ ରହି ଚିକିତ୍ସିତ ହେଉଛନ୍ତି।                                               ଏଣୁ ଗାଁରେ ଗଭୀର ନଳକୂପ ଖନନ କରି ସ୍ୱଚ୍ଛ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଇବାକୁ ଗାଁ ଲୋକେ ଦାବି କରିଛନ୍ତି।