କଳା ଓ ସଂସ୍କୃତି

ଶୈଳଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

By Swagatika Samantray

December 16, 2020

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି। ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କୁ , ଅମାବାସ୍ୟାରେ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ- ଗୁଣ୍ଡିଚା ଦେବୀଙ୍କୁ ପ୍ରଦୀପ ଉତ୍ସର୍ଗ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ନିର୍ବଂଶ ହୋଇଯିବା ପାଇଁ ବରମାଗିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି। ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ମଧ୍ୟ ଦେବ ଦୀପାବଳି ନୀତି ସମ୍ପନ୍ନ ହୋଇଛି। ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ୀ ଚାଦରରେ ଭୂଷିତ କରାଇଥାନ୍ତି।ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିହିତ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି l