ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୭ଟାରେ ଡୋରା ଲାଗି ଓ ପୁଷ୍ପାଞ୍ଜଳି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ପହଣ୍ଡି କରାଯାଇଥିଲା। ଏହାପରେ ଆରତି, ସୂର୍ଯ୍ୟ ପୂଜା, ହୋମ, ଦେବସ୍ନାନ ଏବଂ ନୂଆ ଲାଗି ବେଶ ଆଦି ନୀତିକାନ୍ତି ସୂଚାରୁରୂପେ ସମ୍ପନ୍ନ ହୋଇଥିଲା।
ଅପରାହ୍ନରେ ମହାପ୍ରଭୁଙ୍କ ଦିବ୍ୟ ହାତୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଭଜନ ସମାରୋହ ଆୟୋଜିତ ହୋଇଥିଲା। ରାତ୍ରିରେ ବାହୁଡ଼ା ପହଣ୍ଡି ପୂର୍ବକ ପ୍ରଭୁ ଅନସର ଘରକୁ ବିଜେ କରିଛନ୍ତି।
ଏହି ସ୍ନାନ ଯାତ୍ରା ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ସାମିଲ ହୋଇ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ବିଶ୍ୱବିଦ୍ୟାଳୟ ପରିବାର ତଥା ସମଗ୍ର ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବର୍ତ୍ତମାନର ଏବଂ ଅବସରପ୍ରାପ୍ତ କର୍ମଚାରୀ ସପରିବାର ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ ସହ ଦିବ୍ୟ ଆଶୀର୍ବାଦ ଲାଭ କରିଥିଲେ।