ଅନ୍ୟାନ୍ୟ

ମୋଟ୍ ୨ ଶିକ୍ଷକରୁ ଜଣଙ୍କୁ ବଦଳି ପାଇଁ ନିର୍ଦ୍ଦେଶ: ବିରୋଧ କରି ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

By Angul TV Bureau

January 21, 2025

ଅନୁଗୁଳ: ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାବି। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତ ରାଇପାଳ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ ଜଣ ପିଲା ପଢ଼ନ୍ତି। ତେବେ ୩୪ ପିଲାଙ୍କ ପାଇଁ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି। ଉଭୟ ଶିକ୍ଷକ କଷ୍ଟେ ମଷ୍ଟେ ପାଠ ପଢ଼ାଉଥିଲେ। କିନ୍ତୁ ଏବେ ଏଠାରୁ ଶିକ୍ଷୟିତ୍ରୀ ଟିକି ସାହୁଙ୍କୁ ଅସ୍ଥାୟୀ ଭାବେ ଖଇରବେରେଣି ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଛି। ଏହି ବଦଳି ପରେ ୫ଦିନ ହେବ ପିଲାଙ୍କ ପଢ଼ା ବ୍ୟାହତ ହୋଇଛି। ଏଣୁ ଅଭିଭାବକ ଓ ଛାତ୍ରଛାତ୍ରୀ ତାତିଛନ୍ତି। ସୋମବାର ସ୍କୁଲର ପରିଚାଳନା କମିଟି ସଭାପତି ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଭିଭାବକ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବିଦ୍ୟାଳୟ ମୁଖ୍ୟ ଫାଟକକୁ ତାଲା ପକାଇ ଧାରଣାରେ ବସିଥିଲେ। ତେବେ ପରିଚାଳନା କମିଟି ଅଭିଭାବକଙ୍କ ସହିତ ଆଲୋଚନା ପରେ ଅପରାହ୍ନରେ ଶିକ୍ଷୟିତ୍ରୀଙ୍କ ବଦଳିକୁ ବାତିଲ କରାଯିବ ବୋଲି ସିଆରସିସି ସୁରେଶ ସାହୁ ପ୍ରକାଶ କରିଥିଲେ। ଏହା ପରେ ଆନ୍ଦୋଳନ ହଟିଥିବା ସୂଚନା ମିଳିଛି।