ମୁଖ୍ୟ ଖବର

ତାଳଚେର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ିମାରିବା ଘଟଣା: ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା

By Angul TV Bureau

May 07, 2025

ଅନୁଗୁଳ: ତାଳଚେର ଅଞ୍ଚଳର ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ପର୍ଯ୍ୟନ୍ତ ଦୋଷୀଙ୍କୁ ବାନ୍ଧି ପାରିନି ପୁଲିସ। ଏଣୁ ଅନୁଗୁଳର ସଚେତନ ନାଗରିକଙ୍କ ପକ୍ଷରୁ ବୁଧବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏକ ଗଣଧାରଣା ଦିଆଯାଇଥିଲା। ଏହି ଘଟଣା ଜନସାଧାରଣଙ୍କୁ ଅତ୍ୟନ୍ତ ମର୍ମାହତ କରିଥିବା ସଚେତନ ନାଗରିକ ଆବାହକ ପର୍ଶୁରାମ ଦାଶ କହିଛନ୍ତି। ଗତ ୨୬ ଏପ୍ରିଲ ଠାରୁ ଯୁବତୀଙ୍କ ନିଖୋଜ ଘଟଣା ସାମ୍ନାକୁ ଆସିଥିବା ବେଳେ କେହି ପଦକ୍ଷେପ ନ ନେବାରୁ ଜଣେ ନିରୀହ ଯୁବତୀଙ୍କ ଜୀବନ ଗଲା ବୋଲି ଅଭିଯୋଗ ହେଉଛି। ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଓ ନିଆଁରେ ପୋଡ଼ି ମାରି ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଣୁ ତୁରନ୍ତ ଦୋଷୀକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ନାଗରିକମାନେ ଦାବି କରିଛନ୍ତି।

ଏଥିସହ ମାଦକ ଦ୍ରବ୍ୟ କାରବାର ବନ୍ଦ କରିବା, ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ତ୍ୱରିତ ପଦକ୍ଷେପ ନେବା ସହ ଅନୁଗୁଳରେ ପୁନଃ ଆଇନଶୃଙ୍ଖଳା ଫେରାଇ ଆଣିବା ପାଇଁ ନାଗରିକଙ୍କ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବି କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଅଭିଯୁକ୍ତ ଚିହ୍ନଟ ହୋଇସାରିଛି ଓ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ବୋଲି ବୁଝାସୁଝା କରିବା ପରେ ଧାରଣା ହଟିଥିଲା।