ମୁଖ୍ୟ ଖବର

ପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ

By Angul TV Bureau

July 18, 2024

ତାଳଚେର : ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବା ପାଇଁ ଅନଶନ କରିଛନ୍ତି ମା’ ଓ ପୁଅ।

ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ ଜାମ୍ବୁବାହାଳି ଗ୍ରାମର ଦୁଃଖିଆ ମୂଦୁଲି ଏମସିଏଲରେ କାର୍ଯ୍ୟ କରିଆସୁଥିଲେ। ମାତ୍ର କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ନିୟମ ଅନୁଯାୟୀ, ତାଙ୍କ ପରିବାରର ଜଣକୁ ନିଯୁକ୍ତି ଦେବାର ନିୟମ ରହିଛି। ଏଣୁ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କର ଏକମାତ୍ର ପୁଅ ଅରୁଣ ମୁଦୁଲି ଚାକିରି ପାଇଁ ଆବେଦନ କରିଥିଲେ। ଏହାପରେ ଏମସିଏଲ ପକ୍ଷରୁ ତାଙ୍କୁ ମେଡିକାଲ ବୋର୍ଡ ପାଇଁ ପଠାଇ ଦିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ହାଇପର ଟେନସନ୍ ଓ ଡାଇବେଟିସ୍ କହି ଅନଫିଟ୍ କରି ଦେଇଥିଲେ। ଫଳରେ ଆଉ ଏମସିଏଲରେ ତାଙ୍କୁ ନିଯୁକ୍ତି ମିଳିନଥିଲା।

ସେ ସନ୍ଦେହ ପ୍ରକଟକରି କଟକ ଏସସିବି ଓ ପରେ ସ୍ଥାନୀୟ ନେହୁରୁଶତାଦ୍ଦୀ ଏମସିଏଲ ଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ପରୀକ୍ଷା କରିଥିଲେ ଓ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣଭାବେ ସୁସ୍ଥ ବୋଲି ରିପୋର୍ଟ ପ୍ରଦାନ କରିଥିଲେ। ତେଣୁ ଏମସିଏଲ ମେଡିକାଲ ବୋର୍ଡରେ ତାଙ୍କୁ କାହିଁକି ରୋଗୀ ବୋଲି ଦର୍ଶାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ସମ୍ପର୍କରେ ସେ ବାରମ୍ବାର ଏମସିଏଲ କର୍ତ୍ତୃପକ୍ଷଙ୍କୁ ଆପତ୍ତି ଗୁହାରି କରି ଆସୁଥିଲେ ମଧ୍ୟ ତାଙ୍କୁ ଚାକିରି ମିଳିନଥିବାରୁ ସେ ବାଧ୍ୟ ହୋଇ ତାଙ୍କ ବୃଦ୍ଧା ମା’ଙ୍କ ସହିତ ତାଳଚେର ଜିଏମ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଖବର ପାଇ ଏମସିଏଲ ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ସେ ଧାରଣାରୁ ଅବ୍ୟାହତ ନେଇଥିବା ଜଣାପଡ଼ିଛି ।