ମୁଖ୍ୟ ଖବର

ମିଳୁନି ପିଇବାକୁ ପାଣି: ପାନୀୟ ଜଳ ସମସ୍ୟା ନେଇ ପଞ୍ଚାୟତ ଅଫିସ୍ ଆଗରେ ଧାରଣା ଦେଲେ କନ୍ୟାବେଡ଼ା ଗ୍ରାମର ମହିଳା

By Angul TV Bureau

January 16, 2024

ଅନୁଗୁଳ: ପାଣି ଟୋପାଏ ପାଇଁ ପଞ୍ଚାୟତ ଅଫିସ୍ ଆଗରେ ଧାରଣାରେ ବସିଛନ୍ତି ସ୍ଥାନୀୟ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମପଞ୍ଚାୟତ ଅଧୀନ କନ୍ୟାବେଡ଼ା ଗ୍ରାମବାସୀ।

ସେମାନେ ଅଭିଯୋଗ କରିଛନ୍ତି ଯେ ପାଣି ପାଇଁ ଯେତେ ଅଭିଯୋଗ କଲେ ବି ବିଡିଓ ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି। ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ସେମାନଙ୍କୁ ମୌଳିକ ସୁବିଧା ମିଳି ପାରିନାହିଁ। ଏବେ ଯାଏଁ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ଏଣୁ ଲୋକେ ବାଧ୍ୟ ହୋଇ ଗାଁରେ ଥିବା ନଳକୂପ ପାଣି ପିଉଛନ୍ତି। କିନ୍ତୁ ସେହି ନଳକୂପରୁ ନାଲି ପାଣି ବାହାରୁଛି, ଯାହା ପିଇଲେ ଦେହରେ ନାନା ପ୍ରକାର ଚର୍ମ ସମସ୍ୟା ଦେଖା ଦେବା ସହ ଲୋକେ କିଡନୀ ରୋଗରେ ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନ ଥିବାରୁ ଆଜି କାଣ୍ତସର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି କନ୍ୟା ବେଡ଼ା ଗ୍ରାମର ଶତାଧିକ ମହିଳା। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ କଲେ ବ୍ଲକ୍ ଅଫିସ୍ ଓ ଜିଲ୍ଲାପାଳ ଅଫିସ ଘେରାଉ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।