ମୁଖ୍ୟ ଖବର

ଧଉରାପାଲି ମାଟିରୁ ସମୃଦ୍ଧ ଓଡ଼ିଆ ପରମ୍ପରାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

February 28, 2026

ଅନୁଗୁଳ: ଦୋଳ ପୂର୍ଣ୍ଣିମା ହେଉଛି ଆଧ୍ୟାତ୍ମିକ ବିଜୟର ଉତ୍ସବ ଏବଂ ଓଡ଼ିଆ ସଂସ୍କୃତି ଓ ଏକତାର ଏକ ଅନନ୍ୟ ପରିଚୟ। ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାଙ୍କର ଏହି ଦିବ୍ୟ ମିଳନ ଆମକୁ ବାର୍ତ୍ତା ଦିଏ ଯେ ପ୍ରେମ ଓ ଭକ୍ତି ହିଁ ଜୀବନର ଶ୍ରେଷ୍ଠ ପୁଞ୍ଜି। ଶୁକ୍ରବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ଧଉରାପାଲି ଗ୍ରାମଠାରେ ଆୟୋଜିତ ଐତିହାସିକ ‘ଦୋଳଯାତ୍ରା ଶତବାର୍ଷିକୀ ମହୋତ୍ସବ’ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧଉରାପାଲି ଗ୍ରାମ ସହ ତାଙ୍କର ସମ୍ପର୍କ ଅତି ନିବିଡ଼ ଓ ଦୀର୍ଘ ସମୟର। ତାଙ୍କ ପାଇଁ ଧଉରାପାଲି କେବଳ ଏକ ଭୌଗୋଳିକ ଅବସ୍ଥିତି ନୁହେଁ, ବରଂ ଏହା ଓଡ଼ିଆ ଜନଜୀବନର ଏକ ନିଚ୍ଛକ ସାଂସ୍କୃତିକ ମହାସ୍ରୋତ। ଏହି ପବିତ୍ର ମାଟିର ଆଧ୍ୟାତ୍ମିକ ପରିବେଶ ଏବଂ ଅତୀତର ସ୍ମୃତି ତାଙ୍କୁ ସବୁବେଳେ ପ୍ରେରିତ କରିଆସିଛି। ଧଉରାପାଲି ଦୋଳଯାତ୍ରା ୧୦୦ ବର୍ଷ ପୂରଣ କରିବା ଏକ ସାଧାରଣ ଘଟଣା ନୁହେଁ, ବରଂ ଏହା ଏକ ଐତିହାସିକ ଉପଲବ୍ଧି। ଗୋଟିଏ ଶତାବ୍ଦୀର ଏହି ଦୀର୍ଘ ଯାତ୍ରା ଆମ ପୂର୍ବପୁରୁଷଙ୍କ ଅଗାଧ ଭକ୍ତି, ଗ୍ରାମବାସୀଙ୍କ ମଧ୍ୟରେ ଥିବା ଅତୁଟ ଏକତା ଏବଂ ଆମ ସମୃଦ୍ଧ ପରମ୍ପରାର ପ୍ରତିଫଳନ।

ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ସମେତ ଅନେକ ଦେବଦେବୀଙ୍କ ପୀଠ ଏହି ମାଟିକୁ ପବିତ୍ର କରିଥିବା ବେଳେ ଏହି ଶତବାର୍ଷିକୀ ପାଳନ ଗାଁର ଉଚ୍ଚ ସଂସ୍କୃତି ଓ ପରମ୍ପରାର ଶ୍ରେଷ୍ଠ ପରିଚୟ ପ୍ରଦାନ କରୁଛି। ଏ ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇବା ସହ ଧଉରାପାଲି ଗ୍ରାମର ସର୍ବାଙ୍ଗିନ ଉନ୍ନତି ଏବଂ ସମସ୍ତ ଗ୍ରାମବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।