ମୁଖ୍ୟ ଖବର

୩ ସନ୍ତାନର ମା’ ହୋଇ ସତ ଲୁଚାଇବା ପଡ଼ିଲା ମହଙ୍ଗା; ପଦ ହରାଇଲେ ଧଉରାପାଲ୍ଲୀ ନାଏବ ସରପଞ୍ଚ

By Angul TV Bureau

February 12, 2026

ଅନୁଗୁଳ: ସତ କେବେ ଲୁଚି ରହେନାହିଁ! ପଞ୍ଚାୟତ ନିର୍ବାଚନରେ ୩ଟି ସନ୍ତାନ ଥିବା କଥା ଗୋପନ ରଖି ନାଏବ ସରପଞ୍ଚ ହୋଇଥିବା ସସ୍ମିତା ପ୍ରଧାନଙ୍କୁ ଶେଷରେ ପଦ ହରାଇବାକୁ ପଡ଼ିଛି। ଅନୁଗୁଳ ଜିଲ୍ଲା ଧଉରାପାଲ୍ଲୀ ପଞ୍ଚାୟତରେ ଏହି ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

ଧଉରାପାଲ୍ଲୀ ପଞ୍ଚାୟତର ସରପଞ୍ଚ ସଞ୍ଜିତ୍ ସାହୁ ଅନାସ୍ଥା ଭୋଟରେ ହାରିବା ପରେ ନାଏବ ସରପଞ୍ଚ ସସ୍ମିତା ପ୍ରଧାନଙ୍କ ହାତକୁ ଆସିଥିଲା ସରପଞ୍ଚ ଦାୟିତ୍ୱ। କିନ୍ତୁ ଏହି ଖୁସି ବେଶୀ ସମୟ ରହିଲାନି। ସେ ନିର୍ବାଚନ ସମୟରେ ନିଜର ୩ଟି ସନ୍ତାନ (୧ ପୁଅ, ୨ ଝିଅ) ଥିବା ତଥ୍ୟକୁ ପ୍ରଶାସନ ପାଖରେ ଲୁଚାଇଥିଲେ।

ଗାଁର ସଚେତନ ନାଗରିକ ଶାନ୍ତନୁ ବିଶ୍ୱାଳ ଆରଟିଆଇ ବଳରେ ସସ୍ମିତାଙ୍କ ସନ୍ତାନ ସମ୍ପର୍କିତ ସମସ୍ତ ଗୁପ୍ତ ତଥ୍ୟ ବାହାର କରିଥିଲେ। ସବୁ ପ୍ରମାଣ ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ, ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିଥିଲା।

ଓଡ଼ିଶା ପଞ୍ଚାୟତିରାଜ ଆଇନ ଅନୁସାରେ, ଦୁଇରୁ ଅଧିକ ସନ୍ତାନ ଥିଲେ ପ୍ରତିନିଧି ହେବା ପାଇଁ ଅଯୋଗ୍ୟ। ଏହି ଆଧାରରେ ଜିଲ୍ଲାପାଳ ସସ୍ମିତାଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରିଛନ୍ତି।