ମୁଖ୍ୟ ଖବର

ସଂସଦରେ ପୂର୍ବତଟ ରେଳପଥ କଥା ଉଠାଇଲେ ଢେଙ୍କାନାଳ ସାଂସଦ: ପରଜଙ୍ଗ, କାମାକ୍ଷାନଗର, ଭୁବନକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ କଲେ ଦାବି

By Angul TV Bureau

December 11, 2024

ଅନୁଗୁଳ : ବୁଧବାର ପାର୍ଲାମେଣ୍ଟର ଶୂନ୍ୟକାଳରେ ରେଳ ବିଭାଗ ସମ୍ପର୍କିତ ପ୍ରଶ୍ନ ଉଠାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସାଂସଦ ଶ୍ରୀ ପାଣି କହିଛନ୍ତି, ୨୦୧୪ ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ଅଦ୍ଭୁତପୂର୍ବ ବଜେଟ୍ ଉପସ୍ଥାପିତ କରିଛନ୍ତି। ରେଳବାଇ କ୍ଷେତ୍ରରେ ସମଗ୍ର ଓଡିଶାରେ ଯେଉଁଭଳି ଭାବେ ବିକାଶ ହେଉଛି ତାହା ତୁଳନାତ୍ମକ ନୁହେଁ। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଯେତେ ପ୍ରଶଂସା କଲେ କମ ହେବ। ତଥାପି ପଛୁଆବର୍ଗ ଏବଂ ଦାରିଦ୍ର୍ୟ ହେତୁ ରେଳ ଦୃଷ୍ଟିକୋଣରୁ ଓଡ଼ିଶାରେ ବିକାଶର ଆବଶ୍ୟକତା ରହିଛି। ତେଣୁ ରାଜ୍ୟର ସମସ୍ତ କ୍ଷେତ୍ର ପୂର୍ବତଟ ରେଳବାଇ ଅଧୀନରେ ଆଣିବା ଉଚିତ୍। ବାଲେଶ୍ୱର, ବାରିପଦା, ବଡ଼ବିଲ, ରାଉରକେଲା, ଝାରସୁଗୁଡା ବ୍ରଜରାଜନଗର ଏବଂ ବେଲ ପାହାଡ଼ ଭଳି ଅଞ୍ଚଳକୁ ପୂର୍ବତଟ ରେଳ ଅଧୀନରେ ଅଣାଯିବା ଉଚିତ ବୋଲି ଶ୍ରୀ ପାଣି ଦାବି କରିଛନ୍ତି।

ଏଥିସହ ଏକ ଯାତ୍ରୀବାହୀ ଟ୍ରେନ୍ ଅନୁଗୁଳ ଜିଲ୍ଲାର ବୁଢ଼ାପଙ୍କ ଠାରୁ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, କାମାକ୍ଷାନଗର, ଭୁବନ, ଯାଜପୁର ଜିଲ୍ଲାର ସୁକିନ୍ଦା ରୋଡ ପର୍ଯ୍ୟନ୍ତ ଚାଲିବା ଉଚିତ ଏବଂ ଦୂରଗାମୀ ଏକ୍ସପ୍ରେସ ଟ୍ରେନ ମଧ୍ୟ ସମାନ ମାର୍ଗରେ ଚଳାଇବା ଉପରେ ଶ୍ରୀ ପାଣି ଦାବି କରିଛନ୍ତି। ଅନ୍ୟପଟେ ନିର୍ମାଣାଧୀନ ତାଳଚେର ବିମଳାଗଡ଼ ରେଳ ଲାଇନର ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର କରାଇବା ଉପରେ ସେ ଜୋର ଦେଇଛନ୍ତି।