ମୁଖ୍ୟ ଖବର

ଡିଏଚଏଚ ଓ ମେଡିକାଲ କଲେଜ୍ ସମନ୍ୱୟ ବୈଠକ: ଓପିଡିରୁ ଚପଲ କଟକଣା ଉଠିଲା,ଦମନ ହେବେ ଦଲାଲ

By Biswaranjan Pattnaik

August 26, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡିଏଚଏଚ କର୍ତ୍ତୃପକ୍ଷ ଏବଂ ମେଡିକାଲ କଲେଜ କର୍ତୃପକ୍ଷଙ୍କ ମଧ୍ୟରେ ସୋମବାର ଏକ ସମନ୍ୱୟ ବୈଠକ ବସିଥିଲା। ଏଥିରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ, ହସ୍ପିଟାଲ ସୁପରିନଟେନଡେନ୍ଟ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀ ଏବଂ କଲେଜର ଡିନ ଓ ପ୍ରିଂଶିପଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଚପଲ ସମସ୍ୟା ନେଇ ଆଲୋଚନା ହୋଇଥିଲା ଏବଂ ଲୋକଙ୍କ ଦାବିକୁ ଦେଖି ଟ୍ରମା କେୟାର ଓପିଡିରେ ଚପଲ କଟକଣାକୁ ଉଠାଇ ଦିଆ ଯାଇଥିଲା ତେବେ ପ୍ରତି ୱାର୍ଡ ପାଇଁ ଚପଲ କଟକଣା ବଳବତ୍ତର ରଖା ଗଲା ବୋଲି ନିଷ୍ପତ୍ତି ହୋଇଥିଲା।ଗଣେଶ ପୂଜା ପରେ ଅଲଟ୍ରାସାଉଣ୍ଡ ଓ ପାଥୋଲୋଜୀ ନୂଆ କୋଠାକୁ ଉଠାଇ ନିଆଯିବ। ଔଷଧ ବିତରଣ ଏବଂ ଟିକେଟ କାଉଣ୍ଟରରେ ଭିଡ଼କୁ ଦେଖି ଏହାକୁ କିଭଳି ସରଳ ଓ ସୁବିଧାଜନକ କରାଯିବ ସେଥିପାଇଁ ନିଷ୍ପତ୍ତି ନିଆଗଲା।

ପ୍ରସୂତି ବିଭାଗରେ ଦୁର୍ନୀତିକୁ ରୋକିବା ସହ ଦଲାଲ ମାନଙ୍କୁ ଧରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନୂଆ ସିଡିଏମଓ ଡ଼ା ପ୍ରଧାନଙ୍କ ଏଭଳି ନିୟମିତ ସମୀକ୍ଷା ବୈଠକ ଓ ସମାଧାନ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।