ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କୁ ଛଟେଇ ଧମକ, ନ୍ୟାୟ ପାଇଁ ଶ୍ରମ ବିଭାଗର ହେଲେ ଦ୍ୱାରସ୍ଥ

By Angul TV Bureau

August 01, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ ଛଟେଇ ଧମକ ଦେବା ନେଇ କର୍ମଚାରୀମାନେ ଆଜି ଅନୁଗୁଳ ଶ୍ରମ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ମାର୍ଚ୍ଚ ୨୦୨୦ ରୁ ଅନୁଗୁଳ ଚିକିତ୍ସାଳୟରେ ଯୋଗ ଦେଇ କାମ କରି ଆସୁଥିଲେ। ପ୍ରଥମେ ୧୦ ଜଣ କାମ କରୁଥିବା ବେଳେ ଦରମା ନିୟମିତ ନ ମିଳିବା ତଥା ଅନ୍ୟାନ୍ୟ ଅସୁବିଧା ହେତୁ ବର୍ତ୍ତମାନ ୬ ଜଣ କାମ କରୁଛନ୍ତି। ଏବେ କର୍ମଚାରୀମାନେ ଶାରଳା ଏସଏଚଜି ଗ୍ରୁପ୍ ଠିକା ସଂସ୍ଥା ଅଧୀନରେ କାମ କରି ଆସୁଛନ୍ତି। କିନ୍ତୁ ଠିକା ସଂସ୍ଥା ପୁରୁଣା କର୍ମଚାରୀଙ୍କୁ ବାହାର କରି ନୂଆ ଅଭିଜ୍ଞତା ନ ଥିବା ଲୋକଙ୍କୁ ରଖିବାକୁ ଉଦ୍ୟମ କରୁଛି। ଫୋନ୍‌ରେ ମେସେଜ ଯୋଗେ ଛଟେଇ କରିବାକୁ ବାର୍ତ୍ତା ଦିଆଯାଉଛି।

ଅନ୍ୟପଟେ ସେମାନଙ୍କୁ ତିନି ମାସର ଦରମା ମିଳି ନଥିବା ବେଳେ ଏତେ ଦିନ କମ୍ ଦରମାରେ ଖଟି ଆସିଥିବା କର୍ମଚାରୀମାନେ କୁଆଡ଼େ ଯିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଶାରଳା ଠିକା ସଂସ୍ଥାର କାର୍ଯ୍ୟକାଳ ସରି ଯାଇଥିବା ବେଳେ ଆଜି ହସ୍ପିଟାଲ ପକ୍ଷରୁ ଆଉ ତିନି ମାସ ପାଇଁ କାର୍ଯ୍ୟ କରିବାକୁ ଏବଂ ଅଭିଜ୍ଞ ଲୋକ ରଖି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ୬ ଜଣ କର୍ମଚାରୀ ଓ ଜଣେ ସୁପରଭାଇଜ ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଏହା ସତ୍ତ୍ୱେ ଠିକା ସଂସ୍ଥା କିଛି କର୍ମଚାରୀଙ୍କୁ ଛଟେଇ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି। ଏହି ଛଟେଇ ଧମକ ବିରୋଧରେ କର୍ମଚାରୀମାନେ ଆଜି ଜିଲ୍ଲା ଶ୍ରମ ବିଭାଗରେ ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।