ମୁଖ୍ୟ ଖବର

ପୋଡ଼ାଗଡ଼ରେ ବ୍ୟାପୁଛି ଝାଡ଼ାବାନ୍ତି: ୪୦ ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ପରୀକ୍ଷା ପାଇଁ ଗଲା ଜଳ ନମୁନା

By Angul TV Bureau

May 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଇଲାକାର ପୋଡ଼ାଗଡ଼ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ। ଗାଁରେ ୨ ଦିନ ଧରି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ବୁଧବାର ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉ ୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି।

କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁମନ୍ତ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ପୋଡ଼ାଗଡ଼ ଗ୍ରାମକୁ ଯାଇ ବିଭିନ୍ନ ଔଷଧ ବଣ୍ଟନ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀ ଓ ଆଶା ଅଙ୍ଗନୱାଡି କର୍ମୀ ଓଆରଏସ, ଔଷଧ ବାଣ୍ଟିବା ସହ ସ୍ୱଚ୍ଛତା ରହିବା ଏବଂ ହାତଧୋଇବା ଉପରେ ଗୁରୁତ୍ୱ ଦେଇଥିଲେ।

ଏନେଇ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ କହିଥିଲେ, ଗ୍ରାମରେ ବସୁଧା ଯୋଜନାରେ ହୋଇଥିବା ପାନୀୟ ଜଳ ଯୋଗାଣ ପାଣି ଟାଙ୍କିର ରକ୍ଷଣାବେକ୍ଷଣ ଅଭାବରୁ ହଇଜା ବ୍ୟାପୁଥିବା ନେଇ ସନ୍ଦେହ କରୁଥିବା କହିଛନ୍ତି। ଗ୍ରାମର ପାନୀୟ ଜଳ ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ହଇଜାର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର ଅଧିକାରୀ ଡ. ଧନଞ୍ଜୟ ବେହେରା, DPHO ଡ. ସୌଭାଗ୍ୟଲକ୍ଷ୍ମୀ ପଣ୍ଡା, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ସୁଧୀର କୁମାର ବେହେରା ପ୍ରମୁଖ ପୋଡ଼ାଗଡ଼ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।