ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ଗାଁର ଦିଲ୍ଲୀପ ପ୍ରଧାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ‘ଜାତୀୟ ଗୋପାଳ ରତ୍ନ ପୁରସ୍କାର’ ପାଇଁ ମନୋନୀତ କରାଯାଇଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ପାଇଁ ସମଗ୍ର ଭାରତରୁ ମାତ୍ର ୩ ଜଣ ମନୋନୀତ ହୋଇଥିବା ବେଳେ ଦିଲ୍ଲୀପଙ୍କ ନାମ ଏକ ନମ୍ବରରେ ରହିଛି। ସେ ହେଉଛନ୍ତି ଏକମାତ୍ର ଓଡ଼ିଆ ଭାବେ ଏହି ସମ୍ମାନ ପାଇବାକୁ ଯାଉଥିବା ବ୍ୟକ୍ତି।
ଦିଲ୍ଲୀପ ପ୍ରଧାନ ଗତ ୧୪ ବର୍ଷ ଧରି ସରକାରୀ ସ୍ୱୀକୃତିପ୍ରାପ୍ତ ଏନ୍ଜିଓ ‘ବାଏଫ୍’ (BAIF) ସଂସ୍ଥାରେ କୃତ୍ରିମ ପ୍ରଜନନ ଟେକ୍ନିସିଆନ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ପାତ୍ରପଡ଼ା ଗୋ ବିକାଶ କେନ୍ଦ୍ରର ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ୧୮ଟି ଗାଁରେ ଘରକୁ ଘର ବୁଲି ନିଷ୍ଠାର ସହ ଗାଈଙ୍କ କୃତ୍ରିମ ପ୍ରଜନନ, ଗର୍ଭ ପରୀକ୍ଷା, ବାଛୁରୀ ପାଳନ, ଏବଂ ୯୦% ମାଈ ବାଛୁରୀ ଜନ୍ମ କରାଇବା ପାଇଁ ଚାଷୀମାନଙ୍କୁ ସଚେତନ କରାଉଛନ୍ତି।
ସେ ଗତ ତିନି ବର୍ଷ ମଧ୍ୟରେ ୪,୦୦୦ରୁ ଅଧିକ ଗାଈଙ୍କର କୃତ୍ରିମ ପ୍ରଜନନ କରାଇଛନ୍ତି। ତାଙ୍କର ଏହି ନିଷ୍ଠାପର କାର୍ଯ୍ୟ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ବେଶ୍ ସହାୟକ ହୋଇଛି।
ଜାତୀୟ ଦୁଗ୍ଧ ଦିବସ ଅବସରରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଦିଲ୍ଲୀପଙ୍କୁ ‘ଶ୍ରେଷ୍ଠ କୃତ୍ରିମ ପ୍ରଜନନ ଟେକ୍ନିସିଆନ୍’ ଭାବେ ଏହି ଜାତୀୟ ଗୋପାଳ ରତ୍ନ ପୁରସ୍କାର ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ।
ଏହି ଘୋଷଣା ପରେ ବାଏଫ୍ ପରିବାର ସମେତ ସମସ୍ତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଦିଲ୍ଲୀପ ତାଙ୍କର ଏହି ସଫଳତାର ଶ୍ରେୟ ଅନୁଗୁଳ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଛେଣ୍ଡିପଦା ପ୍ରାଣୀଧନ ଚିକିତ୍ସାଧିକାରୀ ଏବଂ ବାଏଫର ଜିଲ୍ଲା କ୍ଷେତ୍ର ଅଧିକାରୀଙ୍କୁ ଦେଇଛନ୍ତି।।