ଅନୁଗୋଳ: ଦୀପାବଳି ପରେ ସହରର ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଅନୁଗୋଳ ପୌରପାଳିକା ପକ୍ଷରୁ ବ୍ୟବସାୟୀ ଓ ଦୋକାନୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ପର୍ବ ପରେ ବ୍ୟବହୃତ କଦଳୀ ଗଛ, ତୋରଣ, କାଗଜ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ରାସ୍ତାଘାଟ କିମ୍ବା ନାଳରେ ନ ପକାଇବାକୁ ପୌରପାଳିକା ପକ୍ଷରୁ କୁହାଯାଇଛି।
ନିର୍ଦ୍ଦେଶ ଅନୁଯାୟୀ, ଦୀପାବଳି ପରଦିନ ସମସ୍ତ ଦୋକାନୀ ନିଜ ଦୋକାନ ସମ୍ମୁଖରେ ବ୍ୟବହୃତ କଦଳୀ ଗଛ, ତୋରଣ, କାଗଜ ଓ ଅନ୍ୟାନ୍ୟ ଆବର୍ଜନାକୁ ସୁବ୍ୟବସ୍ଥିତ ଭାବେ ଏକାଠି କରି ରଖିବେ। ପୌରପାଳିକାର ସ୍ୱଚ୍ଛତା ଓ ପରିମଳ ଗାଡ଼ି ସେହିଦିନ ଦୋକାନ ସମ୍ମୁଖରୁ ଏହି ଆବର୍ଜନା ସଂଗ୍ରହ କରିବ।
ଏଥିସହ କୌଣସି ବ୍ୟବସାୟୀ ରାସ୍ତା ଉପରେ, ନାଳରେ କିମ୍ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଏହି ଆବର୍ଜନା ଫୋପାଡ଼ିବେ ନାହିଁ। ସହରର ପରିମଳ ଓ ସୌନ୍ଦର୍ଯ୍ୟ ବଜାୟ ରଖିବାରେ ପୌରପାଳିକାକୁ ସହଯୋଗ କରିବାକୁ ସମସ୍ତ ବ୍ୟବସାୟୀଙ୍କୁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶ ଅମାନ୍ୟ କଲେ ପୌର ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୋଳ ପୌରପାଳିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।