ଅନୁଗୋଳ: ଡବଲ ଇଞ୍ଜିନ ସରକାରରେ ଅନୁଗୋଳ ଜିଲ୍ଲାର କୃଷି ଓ ସମବାୟ କ୍ଷେତ୍ର ଅବହେଳିତ ହୋଇପଡ଼ିଥିବା ଅଭିଯୋଗ କରିଛି କଂଗ୍ରେସ। ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମବାୟବିତ ସମ୍ମିଳନୀରେ ଏଭଳି ସ୍ୱର ଉତ୍ତୋଳନ କରାଯାଇଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିଳ ଭାରତ କିଷାନ୍ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ଶୀତଳ ଭଣ୍ଡାର ଅଭାବ, କେରଜାଙ୍ଗ ରେଲୱେ ରେକ୍ ପଏଣ୍ଟ ନିର୍ମାଣରେ ବିଳମ୍ବ ଏବଂ ତାଳଚେର ସାର କାରଖାନା ସମ୍ପର୍କିତ ଅନିଶ୍ଚିତତା ଯୋଗୁଁ ଜିଲ୍ଲାର ପ୍ରାୟ ୨ ଲକ୍ଷ ଚାଷୀ ପରିବାର ବେସାହାରା। ସରକାର ଚାଷୀଙ୍କୁ ବିହନ, ସାର ଓ କୃଷି ଋଣ ଯୋଗାଇବାରେ ବିଫଳ ହୋଇଛନ୍ତି।
ଏଲ-ନିନୋ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକୱାରୀ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା, କୃଷି ଋଣ ଛାଡ଼, ମାଗଣା ବିଜୁଳି ଓ ସୋଲାର ପମ୍ପସେଟ୍ ଯୋଗାଇବାକୁ ଦଳ ଦାବି କରିଛି। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ବ୍ଲକ ସ୍ତରରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏହି ସମ୍ମିଳନୀରେ ଜିଲ୍ଲାର ବହୁ କଂଗ୍ରେସ ନେତା ଓ ଶତାଧିକ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।