ଅନୁଗୁଳ: ନାଲକୋ ବ୍ରାଉନଫିଲଡ଼ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କରି ଅନୁଗୁଳ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆସନ୍ତା ୨୮ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହେବାକୁ ଥିବା ଜନ ଶୁଣାଣିକୁ ଜୋରଦାର ବିରୋଧ କରିବା ପାଇଁ ତିନି ମୌଜାର ଗ୍ରାମବାସୀ ଏକଜୁଟ ହୋଇଛନ୍ତି। ରବିବାର ନୂଆସାହି ଶିବମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ମେଳିରେ ଗ୍ରାମବାସୀମାନେ ପ୍ରଶାସନ ଓ ନାଲକୋ କର୍ତ୍ତୃପକ୍ଷଙ୍କ ବିରୋଧରେ ଗର୍ଜିଛନ୍ତି।
ପ୍ରକଳ୍ପ ପାଇଁ ଜମି ହରାଉଥିବା ପରିବାରଗୁଡ଼ିକୁ ସ୍ଥାୟୀ ନିଯୁକ୍ତି ଦେବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯେ ପର୍ଯ୍ୟନ୍ତ ସମସ୍ତ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଲିଖିତ ପ୍ରତିଶ୍ରୁତି ନ ମିଳିଛି, ସେ ପର୍ଯ୍ୟନ୍ତ କୌଣସି ସହଯୋଗ କରାଯିବ ନାହିଁ। ପ୍ରଶାସନ ଲୋକଙ୍କ ସମସ୍ୟା ସମାଧାନ ନକରି ଚତୁରତାର ସହ କାର୍ଯ୍ୟ ଆଗକୁ ବଢ଼ାଉଥିବା ଅଭିଯୋଗ ହୋଇଛି। ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ସର୍ଭେ ସରିଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅଗ୍ରଗତି ହେଉନାହିଁ।
ନାଲକୋ ପକ୍ଷରୁ ବେନ୍ତପୁର ଗାଁ ମୁଣ୍ଡ ପଡିଆରେ ଜନ ଶୁଣାଣି ପାଇଁ ପ୍ରସ୍ତୁତି ଚାଲିଛି। ରବିବାର ସନ୍ଧ୍ୟାରେ କିଛି ନାଲକୋ ଅଧିକାରୀ ସ୍ଥିତି ନିରୀକ୍ଷଣ କରିବାକୁ ଯାଇଥିବା ବେଳେ ଗ୍ରାମବାସୀମାନେ ଏହାକୁ ପଣ୍ଡ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଜନ ଶୁଣାଣି ସମୟରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି।