ମୁଖ୍ୟ ଖବର

ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଆଲୋଚନା ବିଫଳ, ୪ରେ ତାଳଚେର ବନ୍ଦ

By Angul TV Bureau

July 02, 2022

ତାଳଚେର : ତାଳଚେର ମେଡିକାଲ୍ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବା ଦାବିରେ ଆସନ୍ତା ୪ ତାରିଖ ଦିନ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବା ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଆଜି ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ। ତାଳଚେର ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ରଥ ଏବଂ କମିଟିର କାର୍ଯ୍ୟକର୍ତ୍ତା ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ବାହାରିପାରିନଥିଲା। ଏଣୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

କମିଟିର କହିବା ମୁତାବକ, ଗତ ବୈଠକରେ ପ୍ରଶାସନିକ ଅନୁରୋଧ ରକ୍ଷା କରି କମିଟି ପକ୍ଷରୁ ଆନ୍ଦୋଳନକୁ ଏକ ମାସ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ଏବେ ଯାଏଁ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ। ଏଣୁ ପୂର୍ବ ନିର୍ଦ୍ଧାରିତ ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବୈଠକରେ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତିସଭ୍ୟ ବିନୋଦ ଲାଲ୍‌, ରଞ୍ଜିତ ମହାପାତ୍ର, ସୁନିଲ ବିଶ୍ୱାଳ, ଜିନେସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।