ମୁଖ୍ୟ ଖବର

ଅନୁଗୁଳରେ ‘ଦିଶା’ ଓ ୬୧ତମ ଜିଲ୍ଲା ପରିଷଦ ବୈଠକ: ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ

By Angul TV Bureau

March 01, 2026

ଅନୁଗୁଳ: ଶନିବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପରିଷଦ ଦ୍ଵାରା ଜିଲ୍ଲା ବିକାଶ ସମନ୍ୱୟ ଓ ତଦାରଖ କମିଟି (ଦିଶା) ଏବଂ ୬୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜିଲ୍ଲାର କୃଷି, ପାନୀୟ ଜଳ, ଜଳସେଚନ ଓ ଶିଳ୍ପ ଭଳି କ୍ଷେତ୍ରଗୁଡ଼ିକ ପାଇଁ ଏକ ସୁନିୟୋଜିତ ମାଷ୍ଟର ପ୍ଲାନ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଜନପ୍ରତିନିଧି ଏବଂ ପ୍ରାଶାସନିକ ଅଧିକାରୀମାନେ ମିଳିତ ସହଯୋଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ବୈଠକରେ ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯିବା ସହିତ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଦକ୍ଷତା ବିକାଶ, ନିରନ୍ତର ବିଦ୍ୟୁତ୍ ଯୋଗାଣ, ଜାତୀୟ ରାଜପଥ ସମ୍ପ୍ରସାରଣ, ରେଲୱେ ଅଣ୍ଡର ପାସ୍ ଏବଂ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଏବଂ ଜନହିତକର ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ପିଏମ୍ ସୂର୍ଯ୍ୟ ଘର ଯୋଜନା ମାଧ୍ୟମରେ ଅନୁଗୁଳର ସର୍ବାଧିକ ଘରେ ସୋଲାର ପ୍ୟାନେଲ ଲଗାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।