ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଆୟୋଜିତ: ଉଭୟ କୃଷି ଓ ଶିଳ୍ପାୟନର ଉନ୍ନତିକରଣକୁ ଗୁରୁତ୍ୱ

By Angul TV Bureau

November 20, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି (ଦିଶା) ବୈଠକ ଆୟୋଜିତ ହୋଇଛି। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ l

ଏ ଅବସରରେ ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ଯାର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଦିଶା ବୈଠକରେ ଶିଳ୍ପାଞ୍ଚଳ ଅନୁଗୁଳ ଜିଲ୍ଲାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିଳ୍ପାୟନର ସମ୍ପ୍ରସାରଣ, ନିରନ୍ତର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାରେ ଉନ୍ନତି, ଶିକ୍ଷା ଓ ଦକ୍ଷତାକୁ ମଜଭୁତ୍ କରିବା ସହ ଚାଷ ଓ ଚାଷୀର ବିକାଶ, ଜଳସେଚନର ସୁଦୃଢୀକରଣ, ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ, ଜଳସେଚନ, ମୌଳିକ ସମସ୍ୟାର ସମାଧାନ, ପର୍ଯ୍ୟଟନର ବିକାଶ, ସଡ଼କପଥ ତଥା ଆନୁଷଙ୍ଗିକ ଭିତ୍ତିଭୂମିର ସୁଦୃଢୀକରଣ ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଥିଲା।