ମୁଖ୍ୟ ଖବର

ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ: ପ୍ରତିମୂର୍ତ୍ତି କାନ୍ଧରେ ହାତ ପକାଇ ଚଷମା ଭାଙ୍ଗି ନିଜେ ପିନ୍ଧି ରିଲସ କଲେ ଯୁବକ

By Angul TV Bureau

November 21, 2023

ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନେତାଜୀ ସୁବାଷ ବୋଷଙ୍କୁ ଅସମ୍ମାନ। ନେତାଜୀଙ୍କ ପ୍ରତିମୂର୍ତ୍ତିର କାନ୍ଧ ହାତ ପକେଇ, ତାଙ୍କ ଚଷମା ଆଣି ନିଜେ ପିନ୍ଧି ଭିଡିଓ କରିଛନ୍ତି କଲେଜ ଛାତ୍ର। ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ରିଲ ଆକାରରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ଅସନ୍ତୋଷ ବଢ଼ିଛି। ନେତାଜୀଙ୍କୁ ଅସମ୍ମାନିତ କରିଥିବା ଯୁବକ ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୨ ର ଛାତ୍ର।

ସୂଚନାଯୋଗ୍ୟ ଯେ, ଦିଲ କା ରାଜା ସନ୍ଦୀପ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମ୍ପୃକ୍ତ ଯୁବକ ଏକ ରିଲ କରି ଛାଡିଥିଲେ। ଭିଡ଼ିଓରେ ସେ ଅନୁଗୁଳ କଲେଜ ପରିସରରେ ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଥିବା ବେଳେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ଧରି ତାଙ୍କ ଚଷମା ଟାଣି ଆଣି ନାଚିଥିଲେ। କିଛି ସମୟ ପରେ ପ୍ରତିମୂର୍ତ୍ତିରେ ଲାଗିଥିବା ଚଷମାକୁ ବଳ ପୂର୍ବକ ଟାଣି ଭାଙ୍ଗିଦେବା ସହ ସେହି ଚଷମାକୁ ପିନ୍ଧି ମଇନା ମୋର ମଇନା ଗୀତରେ ନାଚି ନାଚି ରିଲ କରିଥିଲେ।

ତେବେ ଜଣେ କଲେଜ ପଢୁଆ ଛାତ୍ରଙ୍କ ଏଭଳି କାରନାମା ଦେଖି ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ଜଣାଯାଇଛି।

ଅନ୍ୟପଟେ ଘଟଣାକୁ ନେଇ କଲେଜର ପ୍ରିନ୍ସିପାଲ ଗଙ୍ଗାଧର କର କହିଛନ୍ତି, ମହାପୁରୁଷଙ୍କ ପ୍ରତି ଏଭଳି ଆଚରଣ ନିନ୍ଦନୀୟ। ଏହା ଗୁରୁତର ଅପରାଧ। ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଶ୍ରୀ କର କହିଛନ୍ତି।