ଅନୁଗୋଳ: ଟାଟା ପାୱାର ଅଧିନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଦୀର୍ଘ ୧୦ରୁ ୧୫ ବର୍ଷ ଧରି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରିଆସୁଥିବା ଠିକା କର୍ମଚାରୀ ମାନେ ପୁନର୍ବାର ଛଟେଇ ଆଶଙ୍କାରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।
ଠିକା କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଟାଟା ପାୱାର ବିଦ୍ୟୁତ୍ ବିଭାଗର ଦାୟିତ୍ୱ ନେବା ପରଠାରୁ ସେମାନେ ଠିକା ସଂସ୍ଥା ଜରିଆରେ କାର୍ଯ୍ୟ କରିଆସୁଛନ୍ତି। ଗତ ମଇ ୨୦୨୬ରେ କିଛି କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ସେମାନେ ଭୁବନେଶ୍ୱର ଲୋୟର ପିଏମ୍ଜି ଠାରେ ଆନ୍ଦୋଳନ କରିଥିଲେ। ସେହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫ ଜଣ ବିଧାୟକଙ୍କ ମାଧ୍ୟମରେ କୌଣସି ଶ୍ରମିକଙ୍କୁ ଛଟେଇ କରାଯିବ ନାହିଁ ବୋଲି ଆଶ୍ୱାସନା ମିଳିଥିବା ସେମାନେ ଦାବି କରିଛନ୍ତି। ଏହା ପରେ ଆନ୍ଦୋଳନରୁ ଓହରିଥିଲେ।
ତେବେ ପୁନର୍ବାର କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ କରି ଗତ ଅକ୍ଟୋବର ୧ ତାରିଖରୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିସହ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ମଧ୍ୟ କରିଥିଲେ। ସେଠାରେ ସରକାରୀ ଉଚ୍ଚସ୍ତରୀୟ ବୈଠକରେ ଶକ୍ତି ସଚିବ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ନେଇ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବେ ବୋଲି କହିଥିବା ସେମାନେ କହିଛନ୍ତି।
କିନ୍ତୁ ଏହା ସତ୍ତ୍ୱେ ଟାଟା ପାୱାର ପକ୍ଷରୁ ଠିକା ସଂସ୍ଥା ଗୁଡ଼ିକୁ ନୂତନ କର୍ମଚାରୀ ନିଯୁକ୍ତି ପାଇଁ ପ୍ରବର୍ତ୍ତା ଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଦୀର୍ଘ ବର୍ଷ ଧରି କାମ କରିଆସୁଥିବା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ଏନେଇ ଠିକା କର୍ମଚାରୀମାନେ ଆଜି ଅନୁଗୋଳ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅନୁଗୋଳ ଡିଭିଜନ ଅଧିନରେ ଥିବା ସମସ୍ତ ଠିକା ସଂସ୍ଥାର କାର୍ଯ୍ୟାଳୟ ଘେରାଉ କରିବା ସହ ବାହାରୁ ଆସି ନିୟୋଜିତ ହେଉଥିବା ନୂତନ ଶ୍ରମିକଙ୍କ କାର୍ଯ୍ୟକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିୟମିତ କର୍ମଚାରୀଙ୍କ କାର୍ଯ୍ୟକୁ ସେମାନଙ୍କର କୌଣସି ଆପତ୍ତି ନଥିବା ବେଳେ ପୁରୁଣା ଠିକା କର୍ମଚାରୀଙ୍କୁ ବାଦ୍ ଦେଇ ନୂତନ ପ୍ରକଳ୍ପ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ସେମାନେ ତୀବ୍ର ବିରୋଧ କରିଛନ୍ତି।