ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲା ଖଣିଜ ପାଣ୍ଠି ତାଲିକାକୁ ନେଇ ଅସନ୍ତୋଷ: ଆନ୍ଦୋଳନ ପାଇଁ ସଜବାଜ

By Angul TV Bureau

September 25, 2025

ଅନୁଗୁଳ: ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ଟ୍ରଷ୍ଟ ବୋର୍ଡ ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ନୂଆ ଗାଇଡଲାଇନ ଅନୁଯାୟୀ ଅର୍ଥ ବ୍ୟୟ ନିଷ୍ପତ୍ତି ନିଆଯାଇଛି। ଏଥିରେ ପ୍ରତ୍ୟେକ୍ଷ ପ୍ରଭାବିତ ଅଞ୍ଚଳ ପାଇଁ ୭୦% ଓ ପରୋକ୍ଷ ପ୍ରଭାବିତ ଅଞ୍ଚଳ ପାଇଁ ୩୦% ଅର୍ଥ ବରାଦ ହୋଇଛି। ଜିରୋ ପଏଣ୍ଟଠାରୁ ୧୫ କି.ମି. ପର୍ଯ୍ୟନ୍ତ ପ୍ରତ୍ୟେକ୍ଷ ଓ ୧୫ରୁ ୨୫ କି.ମି. ପର୍ଯ୍ୟନ୍ତ ପରୋକ୍ଷ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହି ଗାଇଡଲାଇନ ଅନୁଯାୟୀ, ଅନୁଗୁଳ ଓ ତାଳଚେର ପୌରପାଳିକା ସମେତ ୮ଟି ବ୍ଲକର ୧୧୭ଟି ପଞ୍ଚାୟତକୁ ପ୍ରତ୍ୟେକ୍ଷ ଓ ୪୭ଟି ପଞ୍ଚାୟତକୁ ପରୋକ୍ଷ ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

କିନ୍ତୁ ଅନୁଗୁଳ ବ୍ଲକର ୪ନଂ ଜୋନର ୬ଟି ପଞ୍ଚାୟତ ବଡ଼କନ୍ତକୂଳ, ଖିଣ୍ଡା, ଗଡ଼ତରାସ, ବାରଗୌଣିଆ, ତଳଗଡ ଓ ବେଡ଼ାଶାସନ ତାଲିକାରୁ ବାଦ ପଡିଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବଚରଣ ମାଝୀ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହି ଟ୍ରଷ୍ଟ ବୋର୍ଡକୁ ପୁନର୍ବିଚାର କରି ଏହି ପଞ୍ଚାୟତଗୁଡିକୁ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ କହିଛନ୍ତି, ତାଲିକା ଖଣି ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି। ଯଦି କୌଣସି ପଞ୍ଚାୟତ ବାଦ ପଡିଛି, ତେବେ ଲିଖିତ ଅଭିଯୋଗ ଦାଖଲ କଲେ ପୁନର୍ବିଚାର କରାଯାଇ ଅନ୍ତର୍ଭୁକ୍ତ କରାଯିବ।