ଅନ୍ୟାନ୍ୟ

ଜିଲ୍ଲାସ୍ତରୀୟ ଘୋଷ ସଞ୍ଚାଳନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ପ୍ରଥମ ହେଲା ତାଳଚେର ସରସ୍ୱତୀ ଶିଶୁ ମନ୍ଦିର

By Angul TV Bureau

November 18, 2022

ତାଳଚେର: ତାଳଚେର ବ୍ଲକ ଆମ୍ବମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଘୋଷ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବିଭାଗ ନିରୀକ୍ଷକ ରବି ନାରାୟଣ ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ୧୧ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୩୧ ଜଣ ଶିଶୁ ଘୋଷବାଦକ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଆମ୍ବମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଉପେନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବରେ ଶିକ୍ଷା ବିକାଶ ସମିତି ମଧ୍ୟସମ୍ଭାଗର ସଂଯୋଜକ ମଧୁସୂଦନ ବାରିକ ଓ ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀ ଯୋଗ ଦେଇ ଶିଶୁମାନଙ୍କୁ ଘୋଷର ଆବଶ୍ୟକତା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ପ୍ରଧାନାଚାର୍ଯ୍ୟ ଅଭିମନ୍ୟୁ ବାରିକ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଶିଶୁ ଘୋଷବାଦକମାନେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଶୋଭାଯାତ୍ରାରେ ଡେରା ମାର୍କେଟ ପରିକ୍ରମା କରିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବାଦ୍ୟ ସଜ୍ଜା, ସ୍ଥିରବାଦନ, ବ୍ୟୁହ ରଚନା ଆଦି ଘୋଷ ସମ୍ବନ୍ଧୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବରେ ପ୍ରାନ୍ତ ଶାରୀରିକ ସଂଯୋଜକ ବଳରାମ ସାହୁ, ସହ ପ୍ରାନ୍ତ ଘୋଷ ପ୍ରମୁଖ ତଥା କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଯୋଗ ଦେଇଥିଲେ। ସମସ୍ତ ପ୍ରତିଯୋଗିତାରେ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଉଦଯାପନୀ ସମାରୋହରେ ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ, ବଡଯୋରଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ମାୟାଧର ସାହୁ, ଆଚାର୍ଯ୍ୟ ନିର୍ମଳ ପ୍ରଧାନ, ସୁଶୀଳ ସାହୁ, ହୃଦାନନ୍ଦ ସାହୁ, ମାଗୁ ବେହେରାଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା ସହଯୋଗ କରିଥିଲେ।