ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୭୮ଟି ଅଭିଯୋଗରୁ ୭୫ଟି ବ୍ୟକ୍ତିଗତ ଓ ୩ ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଦାଖଲ ହୋଇଥିବା ୭୮ ଅଭିଯୋଗ ମଧ୍ୟରୁ ୧୩ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା। ସେଥି ମଧ୍ୟରୁ ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଉଚ୍ଚଶିକ୍ଷା ନିମନ୍ତେ ସହାୟତା ପ୍ରଦାନ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ରାସ୍ତା, ସ୍ବାସ୍ଥ୍ୟ, ଭିନ୍ନକ୍ଷମ ସହାୟତା, ଜମିଜମା ସମ୍ବନ୍ଧୀୟ, ପାରିବାରିକ କଳହ ଭରଣ ପୋଷଣ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ତହସିଲଦାର ଶାଶ୍ୱତ ରଞ୍ଜନ ଦାସ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ଡେପୁଟି କଲେକ୍ଟର ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।