ଅନୁଗୁଳ: ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୩୦ଟି ଅଭିଯୋଗରୁ ୨୫ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଏଥିସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ନିଜର ବିଭାଗୀୟ କାର୍ଯ୍ୟାଳୟଗୁଡିକୁ ନିରୀକ୍ଷଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଦାଖଲ ହୋଇଥିବା ୩୦ ଅଭିଯୋଗ ମଧ୍ୟରୁ ୯ଟି ଅଭିଯୋଗର ଆଜି ଫଇସଲା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଜଣଙ୍କୁ ୧୦ ହଜାର ଟଙ୍କା ଚେକ୍ ଆକାରରେ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଲୋକମାନେ ରାସ୍ତା, ଜମି ଜମା ବିବାଦ, ରେଳବାଇ ଠାରୁ କ୍ଷତିପୂରଣ, ପୁନଃ ଥଇଥାନ, ଭୂମିହୀନ, ପାରିବାରିକ ସମସ୍ୟା, ଆଧାର କାର୍ଡ, ପାନୀୟ ଜଳ, ରାସ୍ତା ପାର୍ଶ୍ବ ଆଲୋକ ସମସ୍ୟା, ବିଜୁଳି ସଂଯୋଗ ଏବଂ ଟିପିସିଓଡିଏଲର ମନମୁଖୀ ବିଲ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରସନ୍ନ କୁମାର ବିଶ୍ବାଳ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ୍, ଡେପୁଟି କଲେକ୍ଟର ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସ, ବଅଁରପାଳ ବିଡିଓ ଏଲିଜା ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।