ଅନୁଗୁଳ: ଛେଣ୍ଡିପଦା ପଞ୍ଚାୟତ ସମିତିକାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ମୋଟ ୧୩୨ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୧୦୫ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୨୭ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗ ଥିଲା। ଅଭିଯୋଗ ଗୁଡ଼ିକର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଶିବିରକୁ ଆସିଥିବା ଅଭିଯୋଗ ଗୁଡ଼ିକ ବିଶେଷକରି ଶିକ୍ଷା, ସ୍ବାସ୍ଥ୍ୟ, ଜମି ଅଧିଗ୍ରହଣ ସମସ୍ୟା, କୃଷି, ବିଦ୍ୟୁତ୍, ପଶୁସମ୍ପଦ, ଜଳ ସେଚନ ଓ ରାସନ କାର୍ଡ ପ୍ରଦାନ ଆଦି ସମସ୍ୟା ସମ୍ପର୍କରେ ଅଧାରିତ ଥିଲା।
ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।