ମୁଖ୍ୟ ଖବର

ଲାଗିଲା ‘ନାଲିଗାର’ ଜବରଦଖଲକାରି ଛାନିଆ

By Angul TV Bureau

September 22, 2025

ଅନୁଗୁଳ: ସହର ମଧ୍ୟରେ ଜବରଦଖଲକୁ ନେଇ ଏକ ବଡ଼ ଧରଣର ପଦକ୍ଷେପ ନେବାକୁ ଯାଉଛି ଜିଲା ପ୍ରଶାସନ। ସୋମବାର ପୌରପାଳିକା, ତହସିଲ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଜବରଦଖଲ ଗୁଡିକ ଚିହ୍ନଟ କରି ନାଲି ରଙ୍ଗ ମରାଯାଉଛି। ଏଭଳି ସ୍ଥିତିରେ ସରକାରୀ ଜାଗା ମାଡି ବସିଥିବା କିଛି ଅସାଧୁ ଲୋକଙ୍କ ମନରେ ଛନକା ପଶିଛି।  ପୌରପାଳିକା ଏହି ଜବରଦଖଲ ଗୁଡିକୁ ଉଛେଦ କରିବା ନେଇ ଅତିଶୀଘ୍ର ପଦକ୍ଷେପ ନେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛି।

ସହରର ଜନ ଗହଳି ପୂର୍ଣ୍ଣ ସ୍ଥାନ ଭାବେ କାଞ୍ଚଳ ବଜାରରୁ ଶାନ୍ତି ହୋଟେଲ ଛକ ଏବଂ ମାରୁୱାଡି ଧର୍ମଶାଳା ଠାରୁ ବଜାର ଛକ ରାସ୍ତା। ଏହି ଅଞ୍ଚଳରେ ଜବରଦଖଲ ବୃଦ୍ଧି କାରଣରୁ ସାଧାରଣ ଲୋକ ଯାତାୟାତରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ପୂର୍ବରୁ ପୌରପାଳିକା ଏବଂ ଜିଲା ପ୍ରଶାସନଙ୍କୁ ଅନେକ ଥର ଜନ ସାଧାରଣଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଗୁଡିକୁ ଭିତ୍ତି କରି ସୋମବାର ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ତହସିଲଦାର ଆଲୋକ ଦେହୁରୀ ଏବଂ ପୋଲିସ ପକ୍ଷରୁ ସରକାରୀ ଜାଗା ଗୁଡିକ ଚିହ୍ନଟ ସହ ନାଲି ରଙ୍ଗ ମରାଯାଇଛି। ଏହି ଜବରଦଖଲ ନିକଟରେ ଉଛେଦ ହେବ ବୋଲି ସ୍ଥିର କରାଯାଇଛି।