ଅନୁଗୁଳ: ଖବର ପରିବେଷଣ ସହ ସମାଜ ପ୍ରତି ନିଜ ଦାୟିତ୍ୱ ମଧ୍ୟ ତୁଲାଇଛି ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଙ୍ଘ। ବାପା-ମାଆଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ଦୁଇ ଶିଶୁଙ୍କ ପାଇଁ ସହାୟତାର ହାତ ବଢ଼ାଇ ସଙ୍ଘ ମାନବିକତାର ଉଦାହରଣ ସୃଷ୍ଟି କରିଛି।
ବଅଁରପାଳ ବ୍ଲକ ଫୁଲପଡ଼ା ପଞ୍ଚାୟତ କମାରସାହି ଗ୍ରାମର ୧୧ ଓ ୭ ବର୍ଷର ଦୁଇ ଶିଶୁ ୨୦୨୧ ମସିହାରେ ବାପାଙ୍କୁ ହରାଇଥିଲେ। ପରେ ମାଆ ମଧ୍ୟ ଅନ୍ୟତ୍ର ଚାଲିଯିବାରୁ ଶିଶୁ ଦୁଇଜଣ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ବଡ଼ ମା’ ପର ଘରେ କାମ କରି କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। ଶିଶୁଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିଲା।
ସ୍ଥାନୀୟ ସାମ୍ବାଦିକଙ୍କ ମାଧ୍ୟମରେ ଖବର ପାଇ ସଙ୍ଘ ସଭାପତି ଅଜିତ କୁମାର ଧରଙ୍କ ନିର୍ଦ୍ଦେଶରେ ସଦସ୍ୟମାନେ ଶିଶୁଙ୍କ ପାଖରେ ପହଞ୍ଚି ଖାଦ୍ୟ, ପୋଷାକ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହା ସହ ଶିଶୁଙ୍କ ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜିଲ୍ଲା ପ୍ରଶାସନ ଓ ସିଡବ୍ଲୁସି ସହ ଆଲୋଚନା କରି ସରକାରୀ ‘ଆଶୀର୍ବାଦ’ ଯୋଜନାରେ ସାମିଲ କରିବା ଓ ଉପଯୁକ୍ତ ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରତିଶ୍ରୁତି ଦେଇଛି ସଙ୍ଘ। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଇଛି।