ମୁଖ୍ୟ ଖବର

ଅନୁଗୁଳରେ ବାବା ସାହେବ ଡଃ. ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ

By Angul TV Bureau

April 14, 2026

ଅନୁଗୁଳ: ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ଆମ୍ବେଦକରଙ୍କ ୧୩୫ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଆଜି ଅନୁଗୁଳ ଜିଲ୍ଲା ବଅଁରପାଳ ସେବାଶ୍ରମଠାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେ ନିଜ ଅଭିଭାଷଣରେ ଛାତ୍ରୀମାନଙ୍କୁ ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ କଠିନ ପରିଶ୍ରମ ଓ ନିଷ୍ଠାର ସହ ବିଦ୍ୟା ଅର୍ଜନ କରିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର ସମାଜ ସେବା ଓ ସମ୍ବିଧାନ ପ୍ରଣୟନରେ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଦେଶର ବିକାଶରେ ଶିକ୍ଷାର ଗୁରୁତ୍ୱ ଉପରେ ମତ ରଖିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ୍ ଧଳ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଅଁରପାଳ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶକୁନ୍ତଳା ପ୍ରିୟଦର୍ଶିନୀ ଏବଂ ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କ ସମେତ ବହୁ କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ରହି ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।