ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ଓ ପ୍ରସ୍ତୁତି ବୈଠକ, ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ପରାମର୍ଶ

By Angul TV Bureau

June 18, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ନରେ ଜିଲ୍ଲାର ଉପଖଣ୍ଡ ଓ ୮ଟି ବ୍ଲକ ୨ଟି ପୌରପାଳିକା ଗୋଟିଏ ଏନଏସିରେ ପ୍ରସ୍ତୁତି ବୈଠକ ସମ୍ପର୍କରେ ତଦାରଖ ନିମନ୍ତେ ଜିଲ୍ଲାପାଳ ବିଭିନ୍ନ ଅଧିକାରୀଙ୍କୁ ପଠାଇଛନ୍ତି।

ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରି କହିଥିଲେ, ଆସନ୍ତା ବର୍ଷା ଋତୁରେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଯେ କୌଣସି ପ୍ରକାର ଆପାତକାଳୀନ ସ୍ଥିତିର ସଠିକ ମୁକାବିଲା କରିବା ଏବଂ ଶୂନ୍ୟ ମୃତ୍ୟୁହାର ନିମନ୍ତେ ସଜାଗ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରଜନୀକାନ୍ତ ସ୍ୱାଇଁ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାରେ ନିଜର ପୂର୍ବ ଅନୁଭୂତି ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି ପୂର୍ବରୁ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ପୂର୍ବ ସୂଚନା, ସମ୍ବେଦନଶୀଳ ସ୍ଥାନ ଚିହ୍ନଟ, ଭୟାବହତାର ରୂପରେଖ ଆକଳନ କରି ଧନଜୀବନ, ଗୃହ ପାଳିତ ପଶୁ ଇତ୍ୟାଦିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ସହାବସ୍ଥାନ, ଖାଦ୍ୟ, ପାନୀୟ ଓ ଔଷଧ ଇତ୍ୟାଦିର ବନ୍ଦୋବସ୍ତ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ପରେ ରାସ୍ତା ଘାଟ ଉପରେ ପଡ଼ିଥିବା ଗଛସବୁ କାଟି, ରାସ୍ତା ମରାମତି କରି ଗମନାଗମନ ସୁଗମ କରିବା, ବିଦ୍ୟୁତ ସରବରାହ, ସଂଚାର ବ୍ୟବସ୍ଥା ଠିକ କରିବା, ବାସଗୃହ, ଫସଲ ଇତ୍ୟାଦିର କ୍ଷୟକ୍ଷତି ଆକଳନ ପୂର୍ବକ ସଠିକ ତଥ୍ୟ ସରକାରଙ୍କ ନିକଟରେ ପ୍ରଦାନ କରି ପୁନଃଥଇଥାନ ଇତ୍ୟାଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।

ବୈଠକରେ ପଶୁ ସମ୍ପଦ, କୃଷି, ଅଗ୍ନିଶମ, ଜଳସେଚନ, ବିଦ୍ୟୁତ, ସୂଚନା ଓ ଲୋକ ସମ୍ପର୍କ, ଖାଦ୍ୟ ଓ ଯୋଗାଣ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗ ଆଦି ଏବଂ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟ ନିରୀକ୍ଷକ(ଷ୍ଟେଟ ଅବଜର୍ଭର) ଧରଣୀଧର ପ୍ରଧାନ, ଜିଲ୍ଲା ଆପାତକାଳୀନ ପରିଚାଳନା କକ୍ଷ ସଂଯୋଜକ ପ୍ରଦୀପ କୁମାର ପାତ୍ର, ଜିଲ୍ଲା ଆପାତକାଳୀନ ଅଧିକାରୀ ସତ୍ୟାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।