ମୁଖ୍ୟ ଖବର

ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ ସମ୍ମାନ: ଅନୁଗୁଳରେ ଜିଲ୍ଲାସ୍ତରୀୟ ସମାବେଶ ସମ୍ପନ୍ନ

By Angul TV Bureau

January 30, 2026

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତିର ଏକ ମିଳିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ସମ୍ମିଳନୀରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶା କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ଯୋଗଦେଇ କହିଥିଲେ ଯେ, ଆଶା କର୍ମୀଙ୍କ ନିରନ୍ତର ପ୍ରଚେଷ୍ଠା ଯୋଗୁଁ ଆଜି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ମାନରେ ଉନ୍ନତି ଆସିପାରିଛି।

ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ “ଭରସା” ନାମକ ଏକ ଶିକ୍ଷଣୀୟ ନାଟକ ପରିବେଷଣ କରାଯାଇଥିଲା। ଏଥିସହ କନ୍ୟା ସନ୍ତାନ ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ନେଇ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ପୌରପାଳିକା ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, CDMO ଡ. ମଦନମୋହନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି ଏବଂ ADPHO ଡ. ଅନ୍ତର୍ଯ୍ୟାମୀ ମିଶ୍ର ଉପସ୍ଥିତ ରହି ସ୍ୱାସ୍ଥ୍ୟ କର୍ମୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆଶା କର୍ମୀ, ଆୟୁଷ ଡାକ୍ତର, ଶିକ୍ଷକ, ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସାମିଲ ହୋଇଥିଲେ।