ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ “ହର ଘର ତ୍ରିରଙ୍ଗା” ରାଲି ଆୟୋଜିତ, ଦେଶପ୍ରେମରେ ଉତ୍ସବମୁଖର ହେଲା ଅନୁଗୁଳ

By Angul TV Bureau

August 13, 2026

ଅନୁଗୋଳ: “ହର ଘର ତ୍ରିରଙ୍ଗା ୨୦୨୬” ଅଭିଯାନ ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଅନୁଗୋଳରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରୁ ଆରମ୍ଭ ହୋଇ ଏହି ରାଲି ଥାନା ଛକ, ରାଜା ଛକ, ଡେଲି ମାର୍କେଟ, ବଜାର ଛକ, ସୂଚନା କେନ୍ଦ୍ର ଛକ ଦେଇ ସମଗ୍ର ସହର ପରିକ୍ରମା କରିଥିଲା। ତ୍ରିରଙ୍ଗାର ଗୌରବ ଓ ଦେଶ ପ୍ରେମର ଉତ୍ସାହରେ ସାରା ସହର ଉତ୍ସବମୁଖର ହୋଇଉଠିଥିଲା। ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।

“ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ ଗଡନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରବମୟ ପ୍ରଧାନ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ୱ ଭୂଷଣଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଆର୍ମି ଅଫିସର, ଛାତ୍ରଛାତ୍ରୀ, ସ୍ୱେଛାସେବୀ ପ୍ରମୁଖ ଯୋଗ ଦେଇଥିଲେ। ହାତରେ ତ୍ରିରଙ୍ଗା ଧରି ଦେଶଭକ୍ତିପୂର୍ଣ୍ଣ ସ୍ଲୋଗାନ ଦେଇ ସମସ୍ତେ ପଦଯାତ୍ରାରେ ସାମିଲ ହୋଇଥିଲେ।