ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

By Angul TV Bureau

March 06, 2026

ଅନୁଗୁଳ: ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମ ପରିସରରେ ତିନିଦିନିଆ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଯୋଗଗୁରୁ ଅଭୟ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ଗଠନରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ। ସେହିଭଳି ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଡ. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସତ୍ୟବ୍ରତ ନାଥ ଏବଂ ଅନ୍ତର୍ଜାତୀୟ ପର୍ବତାରୋହୀ ବିଭାରାଣୀ ପାତ୍ର ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟଙ୍କ ସମେତ ଅନୁଗୁଳ ଲାଇଟ୍ ହାଉସ କମୁନିଟିଜ୍ ଏବଂ ଅନୁଗୁଳ ଲୋଜିଷ୍ଟିକ ସ୍କିଲ୍ ସେଣ୍ଟରର ୨୦୦ ରୁ ଅଧିକ ପଞ୍ଜୀକୃତ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମହିଳାମାନଙ୍କ ସଶକ୍ତିକରଣ ଓ ସମ୍ମାନକୁ ନେଇ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରତିଭାମାନେ ଏକତ୍ରିତ ହୋଇଥିଲେ। ପରିଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା।