ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ନ୍ୟାୟ ପାଇଲେ ସାଧାରଣ ଜନତା

By Angul TV Bureau

July 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସମୁଦାୟ ୩୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

ସେହିପରି ତାଳଚେର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସମୁଦାୟ ୧୬୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୧୩୭ଟି ବ୍ୟକ୍ତିଗତ ଓ ୩୧ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ଗୋଟିଏ ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଡି ଏସ୍ ପି ବିରଞ୍ଚି ବାଗ, ତାଳଚେର ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ, ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟୀ ଚେତନା ଦାସଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।