ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଲୋକଙ୍କ ସମସ୍ୟା ଶୁଣିଲେ ପ୍ରଶାସନିକ ଅଧିକାରୀ

By Angul TV Bureau

February 04, 2025

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୩୮ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ୨ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଛି। ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ବେଉରିଆ, ଆଠମଲ୍ଲିକ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ବେହେରା, କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ବେହେରା, କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ, ଉପ-ନିର୍ଦ୍ଦେଶକ ଉଦ୍ୟାନ ଅମ୍ବର ଲୁଗୁନ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ରଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସେହିପରି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ୩୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।