ମୁଖ୍ୟ ଖବର

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ଦାଖଲ ହେଲା ୬୫ ଅଭିଯୋଗ

By Angul TV Bureau

March 13, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା ସମୁଦାୟ ୬୫ଟି ଅଭିଯୋଗରୁ ୬୩ଟି ବ୍ୟକ୍ତିଗତ ଓ ୨ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଦାଖଲ ହୋଇଥିବା ୬୫ଟି ମଧ୍ୟରୁ ୨୩ଟି ଅଭିଯୋଗର ଆଜିର ଶିବିରରେ ତୁରନ୍ତ ଫଇସଲା କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଜମିଜମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶିକ୍ଷା ସମ୍ବନ୍ଧୀୟ ସମସ୍ୟା, ଭିନ୍ନକ୍ଷମ ସହାୟତା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।