ମୁଖ୍ୟ ଖବର

ତାଳଚେରରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ୪୨ଟି ଅଭିଯୋଗର ବିଚାର

By Angul TV Bureau

March 03, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପଞ୍ଚାୟତ ସମିତି ସଭାଗୃହଠାରେ ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଶିବିରରେ ମୋଟ ୪୨ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ଯେଉଁଥିରେ ୩୦ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୨ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଛି।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆଇଏଏସ୍ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନଙ୍କ ସମେତ ଅନେକ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ। ବିଶେଷ କରି ତାଳଚେର ବିଡିଓ ସୁଶାନ୍ତ କୁମାର ବରାଳ, ତହସିଲଦାର ଆଲଫା ଜେନା ଏବଂ ଶିକ୍ଷା, କୃଷି, ଯୋଗାଣ ଓ ସମାଜ ମଙ୍ଗଳ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ମୁଖ୍ୟତଃ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ ସେବା, ଗ୍ରାମୀଣ ଆବାସ ଓ ଜମିଜମା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା।