ମୁଖ୍ୟ ଖବର

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୪୯ଟି ଅଭିଯୋଗ ମଧ୍ୟରୁ ୩ଟିର ତୁରନ୍ତ ସମାଧାନ

By Angul TV Bureau

March 09, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିବା ବେଳେ ଜନସାଧାରଣଙ୍କ ସମୁଦାୟ ୪୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୮ଟି ବ୍ୟକ୍ତିଗତ ଏବଂ ୧୧ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ଉପରେ ଶୁଣାଣି କରାଯାଇ ତୁରନ୍ତ ୩ଟି ଅଭିଯୋଗର ଫଇସଲା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ଓ ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଛେଣ୍ଡିପଦା ତହସିଲଦାର ମାନସ ରଞ୍ଜନ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଶିବିରକୁ ଆସିଥିବା ଲୋକମାନେ ବିଶେଷ କରି ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ ସେବା, ଗ୍ରାମୀଣ ଆବାସ ଓ ଜମିଜମା ସମ୍ବନ୍ଧୀୟ ଅଭିଯୋଗମାନ ଦାଖଲ କରିଥିଲେ।