ମୁଖ୍ୟ ଖବର

କଣିହାଁରେ ଜନ ଶୁଣାଣି ଶିବିର: ୫ ଜଣଙ୍କୁ ପ୍ରଦାନ କରାଗଲା ୫୭ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଚିକିତ୍ସା ସହାୟତା

By Angul TV Bureau

April 07, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ କଣିହାଁ ସ୍ଥିତ ପବିତ୍ର ମୋହନ ସଭାଗୃହଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇ ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ସମୁଦାୟ ୮୩ଟି ଅଭିଯୋଗ ଏହି ଶିବିରରେ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୫୭ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୬ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୯ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା।

ଶିବିରରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ୫ ଜଣ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୫୭ ହଜାର ୫୦୦ ଟଙ୍କାର ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ମଦନ ମୋହନ ପ୍ରଧାନ ଏବଂ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଥିଲେ। ତାଙ୍କ ସହ ଆସିଷ୍ଟାଣ୍ଟ କଲେକ୍ଟର ସଞ୍ଜୟ କୁମାର ଭୋଇ, କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା ଏବଂ ତହସିଲଦାର ଚିନ୍ମୟ ଦାସ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ।ଏହି ଶିବିରରେ ଶିକ୍ଷା, ଯୋଗାଣ, ସମାଜ ମଙ୍ଗଳ, କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବିଶେଷ କରି ଗ୍ରାମ୍ୟ ସମସ୍ୟା, ଗ୍ରାମୀଣ ଆବାସ ଯୋଜନା, ଜମିଜମା ସମ୍ବନ୍ଧୀୟ ବିବାଦ ଏବଂ ବ୍ୟକ୍ତିଗତ ଅସୁବିଧା ନେଇ ସ୍ଥାନୀୟ ବାସିନ୍ଦାମାନେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ। ପ୍ରାଶାସନିକ ସ୍ତରରେ ଜନସାଧାରଣଙ୍କ ସମସ୍ୟାକୁ ଅତି ନିକଟରୁ ଶୁଣିବା ଏବଂ ସେଗୁଡ଼ିକର ସମାଧାନ ପାଇଁ ଏହି ଜନଶୁଣାଣି ଶିବିର ବେଶ୍ ସହାୟକ ହୋଇଛି।