ମୁଖ୍ୟ ଖବର

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୩୨ଟି ଅଭିଯୋଗର ଶୁଣାଣି, ୬ଟିର ତୁରନ୍ତ ସମାଧାନ

By Angul TV Bureau

April 13, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିଥିଲେ। ଶିବିରରେ ମୋଟ ୩୨ଟି ଆବେଦନ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରେ ୨୯ଟି ବ୍ୟକ୍ତିଗତ ଏବଂ ୩ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ୬ଟି ଅଭିଯୋଗର ଫଇସଲା କରାଯାଇଥିବା ବେଳେ ୪ ଜଣ ହିତାଧିକାରୀଙ୍କୁ ଚିକିତ୍ସା ସହାୟତା ବାବଦରେ ରେଡକ୍ରସ ପାଣ୍ଠିରୁ ୪୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।

ଜନଶୁଣାଣିରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା ଓ ଆଞ୍ଚଳିକ ପରିବହନ ଅଧିକାରୀ ସତ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ ଓ ଜମିଜମା ସମ୍ବନ୍ଧୀୟ ଜଟିଳ ସମସ୍ୟାଗୁଡିକର ସମାଧାନ ପାଇଁ ଲୋକେ ଏହି ଶିବିରରେ ନିଜର ଦାବି ଉପସ୍ଥାପନ କରିଥିଲେ। ତହସିଲଦାର, ଜିଲ୍ଲା ଶିକ୍ଷା ଅଧିକାରୀ, ମଙ୍ଗଳ ଅଧିକାରୀ ଓ ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକଙ୍କ ଭଳି ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇ ଏହି ଜନହିତକର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।