ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ତାଳଚେର ପଞ୍ଚାୟତ ସମିତି ସଭାଗୃହଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସମୁଦାୟ ୬୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା, ଯେଉଁଥିରେ ୫୩ଟି ବ୍ୟକ୍ତିଗତ ଏବଂ ୧୬ଟି ଗ୍ରାମ୍ୟଭିତ୍ତିକ ସମସ୍ୟା ରହିଥିଲା। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ୪ଟି ଅଭିଯୋଗର ଘଟଣାସ୍ଥଳରେ ସମାଧାନ କରାଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିରଞ୍ଚି ବାଗ ଏବଂ ତାଳଚେର ଉପ-ଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁଙ୍କ ସମେତ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଓ ପରିବହନ ଭଳି ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଞ୍ଚଳବାସୀ ମୁଖ୍ୟତଃ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ ସେବା, ଆବାସ ଯୋଜନା ଓ ଜମିଜମା ସମ୍ବନ୍ଧୀୟ ଅଭିଯୋଗ ଉପସ୍ଥାପନ କରିଥିଲେ। ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।