ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ ଦାଖଲ ହୋଇଥିବା ସମୁଦାୟ ୭୮ଟି ଅଭିଯୋଗରୁ ୭୪ଟି ବ୍ୟକ୍ତିଗତ ଓ ୪ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାଛଡ଼ା ଦାଖଲ ହୋଇଥିବା ୭୮ ଅଭିଯୋଗ ମଧ୍ୟରୁ ୨୫ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଜଣ ମହିଳା ଓ ୧ ଜଣ ପୁରୁଷ କ୍ୟାନସର ରୋଗୀଙ୍କୁ ମୋଟ ୪୫ ହଜାର ଟଙ୍କା, ଜଣେ ବାଳକ ସିକିଲସେଲ ରୋଗୀଙ୍କୁ ୧୦ ହଜାର ଟଙ୍କା ଓ ଜଣେ ଗୁରୁତ୍ତର ମହିଳା ରୋଗୀଙ୍କୁ ୧୦ ହଜାର ଟଙ୍କା ଚେକ୍ ଆକାରରେ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ସ୍ବାସ୍ଥ୍ୟ, ଜମିଜମା, ରାସ୍ତା, ଘରବାରି ପଟ୍ଟା ସମ୍ବନ୍ଧୀୟ, ଶିକ୍ଷା, ଆଧାରକାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟୁତ୍ ସଂଯୋଗ, ଏମ୍ ସି ଏଲରୁ କ୍ଷତି ପୂରଣ ସମ୍ବନ୍ଧୀୟ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।