ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର: ୧୬୨ଟି ଅଭିଯୋଗରୁ ୫୫ର ଫଇସଲା କଲେ ଜିଲ୍ଲାପାଳ

By Angul TV Bureau

August 28, 2023

ଅନୁଗୁଳ: ଅନୁଗୁଳରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଦାଖଲ ହୋଇଥିବା ସମୁଦାୟ ୧୬୨ଟି ଅଭିଯୋଗରୁ ୧୫୨ଟି ବ୍ୟକ୍ତିଗତ ଓ ୧୦ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୫୫ଟି ଅଭିଯୋଗର ଆଜି ଫଇସଲା କରାଯାଇଥିଲା। ତନ୍ମଧ୍ୟରୁ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦ ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୩ଜଣଙ୍କୁ ୫୦ହଜାର ଟଙ୍କା ୭୦ହଜାର ଟଙ୍କା ଚେକ୍ ଆକାରରେ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି।

ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟରାସ୍ତା, ସ୍ବାସ୍ଥ୍ୟ, ଭିନ୍ନକ୍ଷମ ସହାୟତା, ବିସ୍ଥାପନ ସମସ୍ୟା, ବିଦ୍ୟୁତ୍, ଜମି ଜମା ସମ୍ବନ୍ଧୀୟ, ପାରିବାରିକ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ଡେପୁଟି କଲେକ୍ଟର ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।