ମୁଖ୍ୟ ଖବର

ଜିଲ୍ଳାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମର ଶୁଭାରମ୍ଭ

By Angul TV Bureau

April 05, 2026

ଅନୁଗୁଳ: ସ୍ଥାନୀୟ ପି.ଏମ. ଶ୍ରୀ ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟ, ଅନୁଗୁଳ ପରିସରରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବରେ ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟାଣ ପାଣି, ସମ୍ମାନୀତ ଅତିଥି ଭାବରେ ଛେଣ୍ଡିପଦା ବିଧାନସଭା ସଦସ୍ୟ ଅଗସ୍ତି ବେହେରା , ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ନିରୂପମା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ, ମଧୁସ୍ମିତା ନନ୍ଦ, ଲୋପାମୁଦ୍ରା ପଟ୍ଟନାୟକ ଅନୁଗୁଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନ, ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ଅନିତା ଜେନା ପ୍ରମୁଖ ଉକ୍ତ ଭବ୍ୟ ସମାରୋହରେ ଉପସ୍ଥିତ ରହିଥିଲେ ।ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଜ ପ୍ରଦାନ କରି ସମ୍ମାନିତ କାରାଯାଇଥିଲା । ତଦପଶ୍ଚାତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାହୁ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ କାର୍ଯ୍ଯକ୍ରମ ସମ୍ପର୍କିତ ଅଧିସୂଚନା ପ୍ରଦାନ କରିଥିଲେ । ଏହାପରେ ସମ୍ମାନୀତ

ଅତିଥି ଶ୍ରୀମତି ପାଣି ତାଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ  ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ  ପାଠପଢି ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ ଥିଲେ। ଅନ୍ଯତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବେହେରା ସରଳ ଭାଷାରେ ତାଙ୍କ ସମୟର ଖଡିଛୁଆଁରେ ପିଲାମାନଙ୍କ କାନ୍ଦ ଓ ବର୍ତ୍ତମାନ ସମୟର ଖଡିଛୁଆଁରେ ପିଲାମାନଙ୍କ ହସହସ ମୁଖମଣ୍ଡଳର ବାସ୍ତବ ଚିତ୍ର ଉପସ୍ଥାପନ କରିବା ସହିତ ସମସ୍ତ ଅଭିଭାବକଙ୍କୁ ସେମାନଙ୍କ ଶିଶୁଙ୍କୁ ନିୟମିତ ପାଠପଢା ପାଇଁ ପଠାଇବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଲୋକସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ସମ୍ପର୍କିତ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ଭଲ ପାଠ ପଢି ଜୀବନରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ।  କାର୍ଯ୍ଯକ୍ରମର  ସମସ୍ତ ଅତିଥିବୃନ୍ଦ  ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଗୋଲାପ ଫୁଲ, ଚୋକୋଲେଟ, ପାଠ୍ୟୋପକରଣ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ଖଡିଛୁଆଁଇ ଥିଲେ ।

ଏହାପରେ ଅତିଥିମାନଙ୍କ ଦ୍ଵାରା ପିଲାମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମୌଳିକ ସଂଖ୍ୟାଜ୍ଞାନ ଷ୍ଟଲ, ମୌଳିକ ସାକ୍ଷରତା ଷ୍ଟଲ ଓ ସୃଜନାତ୍ମକ ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିଶୁବାଟିକା ଖୋଲିବା ସହ ଆଜିପର୍ଯ୍ୟନ୍ତ ୪ବର୍ଷ ୭ମାସରୁ ୫ ବର୍ଷ ୭ମାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିଶୁବାଟିକା ଶ୍ରେଣୀରେ ନାମ ଲେଖାଇବା ଓ ୫ ବର୍ଷ ୭ ମାସରୁ ଅଧିକ ହୋଇଥିବା ଶିଶୁମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା କାର୍ଯ୍ୟର ଶୁଭାରମ୍ଭ କରାଗଲା । କାର୍ଯ୍ୟକ୍ରମ ଶେଷରେ ଅନୁଗୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ  ଓ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ବିଜ୍ଞାନ ନିରିକ୍ଷକ ଅମ୍ବୁଜ କୁମାର ଗଡନୟକ ଓ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।