ମୁଖ୍ୟ ଖବର

ଅନୁଗୁଳରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ: ପରିଚୟ ପତ୍ର ଓ ସହାୟତା ରାଶି ବାଣ୍ଟିଲେ ମନ୍ତ୍ରୀ

By Biswaranjan Pattnaik

November 19, 2024

ଅନୁଗୁଳ: ସୋମବାର ଅପରାହ୍ନରେ ସ୍ଥାନୀୟ ପୌରପାଳିକା ଟାଉନ୍ ହଲ ଠାରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହ ଆୟୋଜିତ ହୋଇଛି। ଏହି ସମାରୋହରେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ସମସ୍ତଙ୍କ ସହଯୋଗ, ବିଶ୍ବାସ ଓ ପ୍ରୟାସ ଦ୍ବାରା ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶାର ନିର୍ମାଣ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ନିର୍ମାଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ। ଏଣୁ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଜରୁରୀ।

ଏହି ଅବସରରେ ସେ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କୁ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ, ଫଳରେ କୌଣସି ଅଘଟଣ ଘଟିଲେ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ କରିବା ସହାୟକ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅନ୍ତର୍ଗତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଶିକ୍ଷା, ପ୍ରସୂତିକାଳୀନ, ବିବାହ, ମୃତ୍ୟୁକାଳୀନ (ସ୍ବାଭାବିକ ଓ ଦୁର୍ଘଟଣାଜନିତ ମୃତ୍ୟୁ ) ଓ ଅନ୍ତେଷ୍ଟିକ୍ରିୟା ବାବଦରେ ଅନୁଗୁଳ ଶ୍ରମ ଜିଲ୍ଲାରୁ ୨୦୨ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୧୫ ଲକ୍ଷ ୫୩ ହଜାର ୮୦୦ ଟଙ୍କା ଏବଂ ତାଳଚେର ଶ୍ରମ ଜିଲ୍ଲାରୁ ୮୮ ଜଣ ହିତାଧିକାରୀଙ୍କୁ ୪୯ ଲକ୍ଷ ୬ ହଜାର ୮୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ସେହିପରି ନୂତନ ଭାବେ ପଞ୍ଜିକୃତ ହୋଇଥିବା ୨୫୦ ଜଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡା ବିଧାୟକ ଅଶୋକ ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ,ଆଞ୍ଚଳିକ ବନ ସଂରକ୍ଷକ ସୁଧାଂଶୁ ଶେଖର ଖରା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଅନୁଗୁଳ ଶ୍ରମ ଆୟୁକ୍ତ ପ୍ରଣବ କୁମାର ପାତ୍ର, ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ବିଶ୍ବଭୂଷଣ, ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଲିରିକା ରଏ, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ପ୍ରିୟମ୍ବଦା ସ୍ୱାଇଁ, ତାଳଚେର ଜିଲ୍ଲା ଶ୍ରମ ଅଧିକାରିଣୀ ପରମିତା ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ।