ଅନୁଗୋଳ: ଜିଲ୍ଲା କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସଭାଗୃହରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ଏଥିରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆର ପୁଷ୍ଟିକର ଗୁଣ ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଆହ୍ୱାନ ଦେଇଥିଲେ।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଲଡ଼ୁ ସାମିଲ କରାଯିବାକୁ ପ୍ରଶଂସା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ମାଣ୍ଡିଆ ଚାଷରେ କମ୍ ପାଣି ଓ ସାର ଆବଶ୍ୟକ ହେଉଥିବାରୁ ଏହା ଚାଷୀଙ୍କ ପାଇଁ ଲାଭଦାୟକ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ମାଣ୍ଡିଆ ଚାଷର ଗୁରୁତ୍ୱ, ଜନସ୍ୱାସ୍ଥ୍ୟରେ ଏହାର ଭୂମିକା ଏବଂ କ୍ଷୁଦ୍ର ଶସ୍ୟର ପ୍ରସାର ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଜିଲ୍ଲାରେ ‘ଶ୍ରୀଅନ୍ନ ଅଭିଯାନ’ର ସଫଳତା ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା। ଏଥିସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟକୁ ନେଇ ମାଣ୍ଡିଆ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଦୀପ ଗଡ଼ନାୟକ, ପ୍ରଭାତ ପ୍ରଧାନ, ଚୌଧୁରୀ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲ୍ଲାର ୫ଟି ବ୍ଲକର ମିଲେଟ୍ ଚାଷୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ କୃଷି ସହକାରୀ ନିର୍ଦ୍ଦେଶିକା ପ୍ରଭାତୀ ରାମ ଧନ୍ୟବାଦ ଅର୍ପଣ କରିଥିଲେ।