ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ‘ନଶାମୁକ୍ତ ଯୁବା ବିକଶିତ ଭାରତ’ ପ୍ରତିଯୋଗିତା ଅନୁଷ୍ଠିତ

By Angul TV Bureau

August 05, 2026

ଅନୁଗୋଳ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମାଇଁ ଭାରତ’ (MY Bharat) ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ‘ଉତ୍କର୍ଷ ପରିବାର’ର ସହଭାଗିତାରେ ଜିଲ୍ଲାସ୍ତରୀୟ “ନଶାମୁକ୍ତ ଯୁବା ବିକଶିତ ଭାରତ” ପ୍ରତିଯୋଗିତା ବ୍ଲାକ୍ ଡାଇମଣ୍ଡ ଲାଇବ୍ରେରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ସମାଜକୁ ନଶାମୁକ୍ତ ଜୀବନଶୈଳୀ ଆପଣେଇବାକୁ ପ୍ରେରଣା ଦେବା ସହ ବିକଶିତ ଭାରତ ଗଠନରେ ସେମାନଙ୍କ ସକ୍ରିୟ ଯୋଗଦାନକୁ ନିଶ୍ଚିତ କରିବା।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନାଟକ, ନୃତ୍ୟ, ସଙ୍ଗୀତ, ରିଲ୍ ମେକିଂ, ବକ୍ତୃତା, କବିତା, ଚିତ୍ରାଙ୍କନ ଓ କୁଇଜ୍ ଭଳି ୮ ଟି ବିଭାଗରେ ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ଛେଣ୍ଡିପଦା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବ, ‘ଉତ୍କର୍ଷ ପରିବାର’ର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ହୋମଦ୍ୟୁତି ବେହେରା, ମେରା ଯୁବା ଭାରତର ସଂଯୋଜକ ତପନ କୁମାର ସାମଲ, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଶିକ୍ଷକ, ବିଚାରକ ମଣ୍ଡଳୀ ଓ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।