oplus_2097152

ମୁଖ୍ୟ ଖବର

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ

By Angul TV Bureau

November 17, 2026

ଅନୁଗୋଳ: ଅନୁଗୋଳରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଅଭିହିତ କରିଥିଲେ। ଗଣମାଧ୍ୟମ କେବଳ ଖବର ପ୍ରକାଶ କରେ ନାହିଁ, ବରଂ ଜନସାଧାରଣଙ୍କ ସ୍ୱର ଭାବେ କାର୍ଯ୍ୟ କରିଥାଏ। ଅନ୍ୟାୟ, ଦୁର୍ନୀତି ଓ ବିଭିନ୍ନ ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଧୀନ ଗଣମାଧ୍ୟମ ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗଦେଇ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କାମଚଳା ସାମ୍ବାଦିକତା ଓ ଶସ୍ତା ଲୋକପ୍ରିୟତା ପଛରେ ଥିବା ମାନସିକତାକୁ ସମାଲୋଚନା କରିବା ସହ ଅନୁସନ୍ଧାନମୂଳକ ସାମ୍ବାଦିକତାର ଆବଶ୍ୟକତା ଏବଂ ସାମ୍ବାଦିକଙ୍କ ନୈତିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନମ୍‌ସ୍ମିତା ସାହୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲା ଓ ଉପଖଣ୍ଡସ୍ତରର ବହୁ ସାମ୍ବାଦିକ ଯୋଗଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।